ଦେହ ବ୍ୟବସାୟ ଅପରାଧ ନୁହେଁ

ସ୍ୱେଚ୍ଛାରେ ଦେହ ବେପାର କରିବା ପାଇଁ ମହିଳାଙ୍କୁ ଅଧିକାର ଦିଆଯାଇଛି । ନିକଟରେ ମହାରାଷ୍ଟ୍ରର ଏକ ଅଦାଲତ ଏକ ମାମଲାର ବିଚାର କରି ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଦେହ ଧନ୍ଦା କରିବାକୁ ଅନୁମତି ଦେଇ ଜେଲରୁ ଖଲାସ କରିଛନ୍ତି । ଅଦାଲତଙ୍କ ବିଚାରକୁ ଟିକେ ଭଲ ଭାବରେ ଆଲୋଚନା କଲେ, ସାଧାରଣ ସ୍ଥାନରେ ଦେହ ଧନ୍ଦା କରିବା ଅପରାଧ ନୁହେଁ । ଅଦାଲତ ଯେଉଁ ମହିଳା ସପକ୍ଷରେ ଏପରି ରାୟ ଦେଇଛନ୍ତି, ଉକ୍ତ ମହିଳାଙ୍କର ଦୁଇଟି ଛୋଟ ପିଲା ଅଛନ୍ତି । ପିଲାଙ୍କୁ ଲାଳନ ପାଳନ କରିବା ପାଇଁ ମହିଳାଙ୍କ ପାଖରେ ଦେହ ବ୍ୟବସାୟ ବିନା ଅନ୍ୟ କୌଣସି ବାଟ ନାହିଁ । ଶରୀରର କ୍ଷୁଧା ମେଂଟାଇବା ପାଇଁ ନୁହେଁ ପିଲା ଦୁଇଟିଙ୍କ ପେଟକୁ ଦୁଇମୁଠା ଭାତ ଦେବା ପାଇଁ ଦେହ ଧନ୍ଦାକୁ ଆଦରି ନେଇଥିଲେ ମହିଳା ।

ଭାରତର ସମ୍ବିଧାନ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଯେକୌଣସି ବ୍ୟବସାୟ କରିବାକୁ ଅନୁମତି ଦେଇଛି । ଭାରତର ଯେକୌଣସି ସ୍ଥାନରେ ଜମିବାଡ଼ି କିଣି ବସବାସ କରିବାକୁ ଅନୁମତି ଦେଇଛି । ମହିଳାଙ୍କ ଦେହ ବ୍ୟବସାୟରେ ବାଧା ଦେବାର ଅଧିକାର କାହାର ନାହିଁ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରି ଦେଇଛନ୍ତି । ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କୌଣସି ମହିଳାଙ୍କୁ ବଳପୂର୍ବକ ଦେହ ବ୍ୟବସାୟକୁ ଠେଲି ଦିଆଯିବା ଗୁରୁତର ଅପରାଧ ।