ଧନ୍ୟବାଦ କରମଣ୍ଡଳ: ବାହାନଗା ସ୍କୁଲ ଭାଗ୍ୟ ବଦଳାଇଦେଲା

ବାହାନଗା ଟ୍ରେନ ଦୁର୍ଘଟଣାଟି ଆଉ କାହା ପାଇଁ ଅଶୁଭ ହୋଇପାରେ । ମାତ୍ର ବାହାନଗା ସ୍କୁଲ ପାଇଁ ଶୁଭ ସାବ୍ୟସ୍ତ ହୋଇଛି । କରମଣ୍ଡଳ ଟ୍ରେନଟି ଭୟାନକ ଦୁର୍ଘଟଣା ଘଟାଇବାରୁ ବାହାନଗା ସ୍କୁଲର ଭାଗ୍ୟ ବଦଳିବାକୁ ଯାଉଛି । ଗୁରୁବାର ବାଲେଶ୍ୱର ଜିଲ୍ଲାପାଳ ଉକ୍ତ ସ୍କୁଲକୁ ପରିଦର୍ଶନ କରିବା ପରେ ତାକୁ ଭାଙ୍ଗିବା ଆରମ୍ଭ କରିଛନ୍ତି ।

ବାହାନଗା ସ୍କୁଲର ପୁରୁଣା ଘର ଜାଗାରେ ଠିଆ ହେବ ସୁନ୍ଦର କୋଠା । ଯୋଉ କାମ ସେଠାକାର ବିଧାୟକ କି ସାଂସଦ କରି ପାରିଲେନିି ତାହା କରିଦେଲା କରମଣ୍ଡଳ । ଦୁର୍ଘଟଣାରେ କିଏ ବାପା ହରାଇଲା, କିଏ ପୁଅ ହରାଇଲା, କିଏ ପତ୍ନୀ ହରାଇଲା, କିଏ ସ୍ୱାମୀ ହରାଇଲା ମାତ୍ର ବାହାନଗା ସ୍କୁଲଟିକୁ ରାଜ୍ୟ ସରକାରଙ୍କ ସାହା ମିଳିଗଲା । କି ଭାଗ୍ୟ?

ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କର ମୃତଦେହଗୁଡ଼ିକ ଉକ୍ତ ସ୍କୁଲରେ ରଖା ଯାଇଥିଲା । ଜିଲ୍ଲାପାଳ ଉକ୍ତ ସ୍କୁଲ ପରିଦର୍ଶନ କରିବା ସମୟରେ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ ଯେ ଶବ ରଖାଯାଇଥିବାରୁ ଛୋଟ ପିଲାମାନେ ସ୍କୁଲକୁ ଯିବାକୁ ଭୟ କରୁଛନ୍ତି । ଲୋକଙ୍କ କଥାଗୁଡ଼ାକ ଜିଲ୍ଲାପାଳଙ୍କ ମନକୁ ପାଇଗଲା । ବହୁଦିନର କୋଠରୀଗୁଡ଼ିକ ଭାଙ୍ଗି ସେଠାରେ ଛାତଘର ନିର୍ମାଣ କରିବାକୁ ସୁପାରିଶ କଲେ ।

ପୂର୍ବରୁ କୌଣସି ଜିଲ୍ଲାପାଳ ଉକ୍ତ ସ୍କୁଲ ପ୍ରତି ସେତେଟା ଦୃଷ୍ଟି ଦେଇ ନଥିଲେ । କିନ୍ତୁ ଆଜିର ଜିଲ୍ଲାପାଳ ଏତେବଡ଼ ନିଷ୍ପତି ନେବାର କାରଣ ?

ସତକଥାଟି ହେଉଛି, ଦୁର୍ଘଟଣାର ପରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସଚିବ ପାଣ୍ଡିଆନ ବାହାନଗା ପରିଦର୍ଶନ କରିଥିଲେ । ସ୍କୁଲଟିର ଜରାଜୀର୍ଣ୍ଣ ଅବସ୍ଥାକୁ ଦେଖି ମୁଖ୍ୟମନ୍ତ୍ରୀ ତା’ର ନବକଳେବର କଥା ଚିନ୍ତା କଲେ । ସଙ୍ଗେ ସଙ୍ଗେ ଜିଲ୍ଳାପାଳଙ୍କୁ ମନକଥା ଜଣାଇଲେ । ଏଭଳି ସୁଯୋଗକୁ ସ୍କୁଲ କମିଟି ବା କାହିଁକି ହାତଛଡ଼ା କରିବ ।