ଆଜମ୍‌ ଖାନ୍‌ଙ୍କ କପାଳକୁ ଛିଣ୍ଡିଲା ଶିକା

୯ ବର୍ଷ ପାଇଁ ନିର୍ବାଚନ ଲଢ଼ି ପାରିବେନି…

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାରରେ ଯାଇ ଲୋକଙ୍କ ମନରେ ହିଂସାକାଣ୍ଡ ପ୍ରତି ପ୍ରୋତ୍ସାହନ ଭରିଥିବା  ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ୟୁପି ରାଜନୀତିର ବଳିଷ୍ଠ ଚେହେରା ଆଜମ ଖାନ୍‌ । ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି ତଳକୋର୍ଟ । ତାଙ୍କୁ ୯ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ ବାରଣ କରାଯାଇଛି । ତେବେ ୯ ବର୍ଷ ପରେ ଆଜମ ପୁଣି ରାଜନୀତିକୁ ଫେରିପାରିବେ?

ତଳକୋର୍ଟଙ୍କ ରାୟ ବିରୋଧରେ ଆଜମ ଉପର କୋର୍ଟକୁ ଯାଇପାରନ୍ତି । ଅଦାଲତ ଉଭୟ ପକ୍ଷର ଯୁକ୍ତି ଓ ପ୍ରମାଣକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୧ ତାରିଖରେ ବିଚାର ପ୍ରକ୍ରିୟା ଶେଷ କରିଥିଲେ । ମାତ୍ର ରାୟ ଘୋଷଣା କରି ନଥିଲେ । ଆଜମ ଖାନ ହେଉଛନ୍ତି ସମାଜବାଦୀ ପାର୍ଟିର ମୁସଲିମ୍‌ ମାସ୍କଟ୍‌ । ସତରେ କ’ଣ ଭାରତରେ ଅଳ୍ପସଂଖ୍ୟକ ବୋଲାଉ ଥିବା ମୁସଲିମ ଗୋଷ୍ଠୀ ମୋଦୀ ସରକାରଙ୍କ ଅମଳରେ ପକ୍ଷପାତର ଶିକାର ହେଉଛନ୍ତି? ଏହାର ସତ୍ୟତା ଜାଣିବା ପାଇଁ ଆପଣଙ୍କୁ ୨୦୧୯ ଲୋକସଭା ନିର୍ବାଚନ ସମୟକୁ ଯିବାକୁ ହେବ ।

ସପା ନେତା ଆଜମ ଖାନ୍‌ ଏକ ନିର୍ବାଚନ ସଭାରେ ଯୋଗ ଦେବା ପାଇଁ ରାମପୁର ଅନ୍ତର୍ଗତ ମିଲକ ବିଧାନସଭା କ୍ଷେତ୍ରରେ ପହଂଚିଥିଲେ । ଆଜମଙ୍କ ଭାଷଣ ଶୁଣିବା ପାଇଁ ସଭାରେ ବହୁସଂଖ୍ୟକ ଲୋକ ଉପସ୍ଥିତ ଥିଲେ । ଜନତାଙ୍କ ମନରେ ହିଂସା ମନୋଭାବ ସୃଷ୍ଟି କରିବା ପାଇଁ ଆଜମ ଏଭଳି କିଛି ବାକ୍ୟବାଣ ମାରିଥିଲେ ଯାହା ପରବର୍ତୀ ସମୟରେ ବୁମେରାଂ ସାବ୍ୟସ୍ତ ହୋଇଥିଲା । ବିଜେପି ନେତା ଆକାଶ ସାକ୍‌ସେନା ଆଜମଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ ।

ପରିଣାମ ସ୍ୱରୂପ ପୁଲିସ ଆଜମ ଖାନଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଙ୍ଘନ ଓ ଉତେଜନା ସୃଷ୍ଟିକାରୀ ଭାଷଣ ପ୍ରଦାନ ଅଭିଯୋଗରେ ମାମଲା ରୁଜୁ କଲା । ଆଜମଙ୍କୁ ଗିରଫ କରି ରାମପୁରସ୍ଥିତ ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟରେ ହାଜର କରାଗଲା । ରାମପୁରସ୍ଥିତ ସ୍ୱତନ୍ତ୍ର ଅଦାଲତରେ ଉକ୍ତ ମାମଲାର ବିଚାର ଚାଲିଥିଲା ।