ବିଚାରପତିଙ୍କ ରାୟ ଅପେକ୍ଷାରେ ଶିବଲିଙ୍ଗ

ମସଜିଦ ପରିସରରୁ ଆବିର୍ଭାବ ପରେ ହିନସ୍ତା

ବାରାଣସୀ: ଜ୍ଞାନବ୍ୟାପୀ ପରିସର ଦଖଲ, ଭଗବାନ ଆଦି ବିଶେଶ୍ୱରଙ୍କୁ ହସ୍ତାନ୍ତର ଓ ସେଠାରୁ ଠାବ ଶିବଲିଙ୍ଗ ଦର୍ଶନ ଓ ପୂଜାର୍ଚ୍ଚନା ଅଧିକାର ହାସଲ ପାଇଁ ଆଗତ ପିଟିସନର ବିଚାର ପ୍ରକ୍ରିୟା ଆଉ ପାଦେ ଆଗକୁ ବଢ଼ିଛି । ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ଆବେଦନକାରୀ ବିଶ୍ୱ ବୈଦିକ ସନାତନ ସଂଘର ଅନ୍ତର୍ଜାତୀୟ ମହାମନ୍ତ୍ରୀ କିରନ ସିଂହଙ୍କ ପିଟିସନକୁ ବିଚାରଯୋଗ୍ୟ ମଣିଛନ୍ତି । ଜଷ୍ଟିସ ମହେନ୍ଦ୍ର କୁମାର ପାଣ୍ଡେ ଉଭୟ ପକ୍ଷଙ୍କ ଯୁକ୍ତିକୁ ଧ୍ୟାନର ସହ ଶୁଣିବା ପରେ ମୁସଲିମ ପକ୍ଷର ପିଟିସନକୁ ବିଚାର ପାଇଁ ଅଯୋଗ୍ୟ ବିବେଚିତ କରିଛନ୍ତି । ମାମଲାର ଆଗାମୀ ଶୁଣାଣି ଡିସେମ୍ବର ୨ ତାରିଖରେ ହେବ ।

ମୁସଲିମଙ୍କ ଦଖଲରେ ଥିବା ଜ୍ଞାନବ୍ୟାପୀ ପୀଠଟିକୁ ଫେରି ପାଇବାର ଆଶା କରି ହିନ୍ଦୁ ସଂଗଠନ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛି । ନିକଟ ଅତୀତରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ଜ୍ଞାପବ୍ୟାପୀ ପୀଠ ପରିସରକୁ ଖୋଳା ଯାଇଥିଲା । ପୀଠ ପରିସରରୁ ଜରାଜୀର୍ଣ୍ଣ ଅବସ୍ଥାରେ ଶିବଲିଙ୍ଗ ସମେତ କାରୁକାର୍ଯ୍ୟ ଖଚିତ ପଥର ଖଣ୍ଡମାନ ମିଳିଥିଲା । ଅଯୋଧ୍ୟାର ବାବରି ମସଜିଦ ଓ ଜ୍ଞାନବ୍ୟାପୀ ମସଜିଦ ପରିସରରୁ ହିନ୍ଦୁ ଦେବାଦେବୀଙ୍କ ମୂର୍ତି ଓ ଜରାଜୀର୍ଣ୍ଣ ମନ୍ଦିର ଠାବ କରାଯିବା ପରେ ମୁସଲମାନ ଶାସକଙ୍କ ହିନ୍ଦୁ ଦମନ ନୀତି ପ୍ରମାଣିତ ହୋଇଛି । ଇତିହାସ ସଂପୂର୍ଣ୍ଣ ମନଗଢ଼ା କାହାଣୀ ନୁହେଁ, ତାହା ସ୍ପଷ୍ଟ ହୋଇଛି ।