ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ବିବାଦୀୟ କୃଷି ବିଲ୍‌ ପ୍ରସଙ୍ଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ। ସେ ରାଷ୍ଟ୍ରପତିଙ୍କୁ ଭେଟି କୃଷି ବିଲ୍‌କୁ ମଞ୍ଜୁରି ନଦେବାକୁ ନିବେଦନ କରିଛନ୍ତି।

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ନବୀ ଆଜାଦ କହିଛନ୍ତି, “ସରକାର ବିଲ ଆଣିବା ପୂର୍ବରୁ ସମସ୍ତ ଦଳ ଏବଂ କୃଷକ ନେତାଙ୍କ ସହିତ ପରାମର୍ଶ କରିବା ଉଚିତ୍ ଥିଲା। ହେଲେ ଏ ବିଲ୍‌ ନେଇ ନା କାହାର ପରାମର୍ଶ ନିଆଯାଇଛି ନା କୌଣସି ପ୍ରକାରର ଭୋଟିଂ ହୋଇଛି ।ଏହାକୁ ନେଇ ମନ୍ଦିର ସ୍ବରୁପ ଗଣତନ୍ତ୍ରରେ ସମ୍ବିଧାନ କ୍ଷୁର୍ଣ୍ଣ ହୋଇଛି।ଏହି କୃଷି ବିଲ୍‌ ଅସାମ୍ବିଧାନିକ ଅଟେ । ତେଣୁ ଏହି ବିଲ୍‌ ଫେରସ୍ତ ହେବା ଉଚିତ ବୋଲି ଆମେ ରାଷ୍ଟ୍ରପତିଙ୍କୁ ଜଣାଇଛୁ।

ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହରେ ସଂସଦରେ ଉପସ୍ଥାପନ କରାଯାଇଥିବା କୃଷି ଓ କୃଷକଙ୍କ ସମ୍ପର୍କିତ ତିନିଟି ବିଲ୍‌କୁ ବିରୋଧ କରିି ରାଜ୍ୟସଭାରୁ ବୟକଟ ହୋଇଥିଲେ ବିରୋଧୀ ଦଳ।
ଏପଟେ କୃଷକମାନେ ମଧ୍ୟ ଏହି ବିଲ୍‌କୁ ନେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି। କାରଣ ପ୍ରସ୍ତାବିତ ନିୟମଗୁଡ଼ିକରେ ଚାଷୀମାନଙ୍କୁ ନିର୍ଦିଷ୍ଟ ମୂଲ୍ୟର ଗ୍ୟାରେଣ୍ଟି ଦେବା ଲାଗି କୌଣସି ହିସାବ ବ୍ୟବସ୍ଥା କରାଯାଇନଥିବା କୁହାଯାଇଛି ।