ଠାକ୍‌ରେ ପରିବାରକୁ ଘାଂଟିବ ଏସ୍‌ଆଇଟି

ଖୋଲିଲା ସୁଶାନ୍ତ ରାଜପୁତଙ୍କ ପୂର୍ବତନ ମ୍ୟାନେଜରଙ୍କ ଫାଇଲ୍‌….

ମୁମ୍ବାଇ: କେଉଁ କାରଣରୁ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ମୃତ୍ୟୁବରଣ କରିଥିଲେ, ତାହା ଜାଣିବା ପାଇଁ ମହାରାଷ୍ଟ୍ର ସରକାର ଏସ୍‌ଆଇଟି ଗଠନ କରିଛନ୍ତି । ଗୁରୁବାର ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍‌ ବିଧାନସଭାରେ ଏହି ଘୋଷଣା କରିଛନ୍ତି । ତା’ ସହିତ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କର ନାର୍କୋ ଟେଷ୍ଟ କରିବାର ଆଶଙ୍କା ପ୍ରକାଶ ପାଇଛି । ଦିଶା ସାଲିୟାନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ପୂର୍ବତନ ମ୍ୟାନେଜର ଥିଲେ ।

ତାଙ୍କର ବୟସ ୨୮ ବର୍ଷ । ୨୦୨୦ ଜୁନ ୮/୯ ରାତିରେ ସେ ୧୪ ମହଲା କୋଠାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁ ଘଟଣାର ୬/୭ ଦିନ ପରେ ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ଘରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଦୁହିଁଙ୍କ ମୃତ୍ୟୁ ଘଟଣା ମୁମ୍ବାଇ ଚଳଚ୍ଚିତ୍ର ଦୁନିଆକୁ ମନ୍ଥି ପକାଇଥିଲା । ରାତି ପ୍ରାୟ ଦୁଇଟାରେ ଦିଶା ପ୍ରାଣ ହରାଇ ଥିଲାବେଳେ ଦୁଇଦିନ ପରେ ଜୁନ ୧୧ ତାରିଖରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ଘଟଣା ଅନେକଙ୍କୁ ବିସ୍ମିତ କରିଥିଲା ।

ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା ଯେ ଅତି ଉଚ୍ଚସ୍ଥାନରୁ ଖସିଥିବାରୁ ଦିଶାଙ୍କ ଶରୀରରେ ଏକାଧିକ ଆଘାତ ଲାଗିଥିଲା ଯାହା ଫଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । ସେ ଶାରୀରିକ ଶୋଷଣର ଶିକାର ହୋଇ ନଥିବା ରିପୋର୍ଟରେ ଦର୍ଶାଯାଇଥିଲା । କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ମୃତ୍ୟୁ ସଂପର୍କରେ ନାନା ଅପମାନଜନକ ମନ୍ତବ୍ୟ ପ୍ରସାରିତ ହୋଇଥିଲା । ଏପରିକି ତାଙ୍କ ମୃତ୍ୟୁ ସହିତ ସୁଶାନ୍ତ ସିଂଙ୍କୁ ଯୋଡ଼ି ଦିଆ ଯାଇଥିଲା ।

ଦିଶା ସାଲିୟାନଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ଟ୍ୱିଷ୍ଟ୍‌ ସାମ୍ନାକୁ ଆସିଥିଲା । ଜୁନ୍‌ ୮/୯ ରାତିରେ ଦିଶା କୋଠାରୁ ଡେଇଁ ପ୍ରାଣ ହରାଇଲେ, କିନ୍ତୁ ଜୁନ୍‌ ୧୭ ତାରିଖ ପର୍ଯ୍ୟନ୍ତ ତାଙ୍କ ମୋବାଇଲକୁ କେହି ଜଣେ ବ୍ୟବହାର କରୁଥିଲା । ସୋସିଆଲ ମିଡିଆରେ ଝିଅର ବଦନାମ ସହି ନପାରି ମୃତ ଦିଶାଙ୍କ ବାପା ସତିଶ ସାଲିୟାନ କହିଥିଲେ ଯେ ମୃତ୍ୟୁବରଣ କରିବା ପରେ ମଧ୍ୟ ଦିଶାଙ୍କ ଚରିତ୍ର ସଂହାର ପାଇଁ ଷଡ଼ଯନ୍ତ୍ର କରାଯାଇଛି ।