ମାସ୍କ ଧାରଣ, ପ୍ରୋଟୋକଲ ପାଳନକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ମୋଦୀ ବାରମ୍ବାର ଦୋହରାଇଛନ୍ତି ଯେ କୋଭିଡ୍‌ ଭୂତାଣୁ ସଂପୂର୍ଣ୍ଣ ଲୋପ ପାଇନାହିଁ…..

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ ସଂପର୍କୀତ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ଦୁଇଘଂଟାରୁ ଅଧିକ ସମୟ ଧରି ଅନୁଷ୍ଠିତ ବୈଠକ ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ ମିଡିଆ ଜରିଆରେ ଲୋକମାନଙ୍କୁ ମାସ୍କ ଧାରଣ, କୋଭିଡ୍‌ ପ୍ରୋଟୋକଲ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ତା’ ସହିତ ଜିନୋମ୍‌ ଟେଷ୍ଟିଂ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ।

ସାମାନ୍ୟତମ ଅସାବଧାନତା କୋଭିଡ୍‌ ସଂକ୍ରମଣକୁ ସ୍ୱାଗତ କରିପାରେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଚେତାବନୀ କରିଛନ୍ତି । ମୋଦୀ ବାରମ୍ବାର ଦୋହରାଇଛନ୍ତି ଯେ କୋଭିଡ୍‌ ଭୂତାଣୁ ସଂପୂର୍ଣ୍ଣ ଲୋପ ପାଇନାହିଁ । ଭିନ୍ନଭିନ୍ନ ରୂପ ଧାରଣ କରି ଲୋକଙ୍କ ଜୀବନ ସହ ଖେଳୁଛି । ବିଶେଷ କରି ଅନ୍ତର୍ଜାତୀୟ ବିମାନଘାଟିରେ ପାଦ ଦେଉଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ।

ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ୍‌ ନେବା ପାଇଁ ଅନୁରୋଧ କରିଛନ୍ତି । ବୈଠକରେ ରୋଗୀଙ୍କ ସହିତ ସିଧାସଳଖ ମିଳାମିଶା ଓ ସହାୟତା କରୁଥିବା କରୋନା ଯୋଦ୍ଧାଙ୍କ ଗୁଣଗାନ କରିଥିଲେ । ଏହାଛଡ଼ା ବୈଠକରେ କରୋନା ମୁକାବିଲା ପ୍ରସ୍ତୁତି, ଟୀକାକରଣ ସ୍ଥିତି, ନୂଆ କୋଭିଡ୍‌ ଭାରିଏଂଟ ନିରୂପଣ ଓ ତା’ର ପ୍ରଭାବ ବିଷୟ ଆଲୋଚନା କରାଯାଇଥିଲା ।