ଇରାକରେ ଶ୍ରୀଲଙ୍କା ସ୍ଥିତ

ଇରାକରେ ଶ୍ରୀଲଙ୍କା ଭଳି ସ୍ଥିତି । ଲୋକେ ରାସ୍ତାକୁ ଓହ୍ଲାଇ କରିଛନ୍ତି ଜୋରଦାର

ବାଗଦାଦ: ଇରାକରେ ଶ୍ରୀଲଙ୍କା ଭଳି ସ୍ଥିତି । ଲୋକେ ରାସ୍ତାକୁ ଓହ୍ଲାଇ କରିଛନ୍ତି ଜୋରଦାର ବିକ୍‌ଷୋଭ ପ୍ରଦର୍ଶନ । ସେଠାକାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ବିରୋଧ କରି ବିକ୍‌ଷୋଭ ପ୍ରଦର୍ଶନ କରାଯାଉଛି । ହଜାର ହଜାର ସଂଖ୍ୟାରେ ଲୋକେ ବୁଧାବର ବାଗଦାଦରେ ଥିବା ସଂସଦ ଭବନକୁ କବ୍‌ଜା କରିନେଇଛନ୍ତି । ଏପରିକି ସଂସଦ ଭବନରେ ଧସେଇ ପସିବାକୁ ଉଦ୍ୟମ କରିଛନ୍ତି । ରିପୋର୍ଟ ମୁତାବକ ପ୍ରଦର୍ଶନକାରୀ ବାଗଦାଦର ଗ୍ରୀନ ଜୋନ, ସରକାରୀ ଭବନ ଓ ରାଜନେତାଙ୍କ ଘରକୁ ଅକ୍ତିଆର କରିଛନ୍ତି ।

ଏହାପରେ ସେମାନେ ସଂସଦ ଭବନ ଭିତରକୁ ଧସେଇ ପଶି ଯାଇଥିଲେ । ହେଲେ ସେହି ସମୟରେ ସଂସଦ ଭବନରେ କେହି ଉପସ୍ଥିତ ନଥିଲେ । କେବଳ ସୁରକ୍ଷାକର୍ମୀ ସେହି ସମୟରେ ଉପସ୍ଥିତ ଥିଲେ ଏବଂ ସେମାନେ ପ୍ରଦର୍ଶନକାରୀଙ୍କୁ ସହଜରେ ଭିତରକୁ ଯିବାକୁ ଦେଇଥିଲେ । କିନ୍ତୁ ହଜାର ହଜାର ସଂଖ୍ୟାରେ ଲୋକ ଏକାଠି ହୋଇ ବ୍ୟାରିକେଡ ଭାଙ୍ଗି ଗ୍ରୀନଜୋନ ଭିତରେ ପ୍ରବେଶ କରିଥିଲେ । ଇରାକ ପତକା ହାତରେ ଧରି ସଂସଦ ଭିତରେ ପଶି ଟେବୁଲ ଉପରେ ଚଢ଼ି ନାରାବାଜି କରିଥିଲେ । ବିରୋଧ ପ୍ରଦର୍ଶନକୁ ଦେଖି ଦେଶର କାମଚଳା ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ-କଦିମୀ ପ୍ରଦର୍ଶନକାରୀଙ୍କୁ ଗ୍ରୀନ ଜୋନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଅନୁସାରେ, ୨୦୨୧ ଅକ୍ଟୋବର ମାସରେ ହୋଇଥିବା ସାଧାରଣ ନିର୍ବାଚନରେ ଅଲ୍‌-ସଦରଙ୍କ ପାର୍ଟି ମୋଟ ୩୨୯ ଆସନରୁ ୭୩ ଆସନ ଜିତିଥିଲେ । କିନ୍ତୁ ଇରାକର ରାଷ୍ଟ୍ରପତି ହେବା ପାଇଁ ସେ ବହୁମତ ସାବ୍ୟସ୍ତ କରିପାରିନଥିଲେ ।