ଛୁଞ୍ଚିବିହୀନ କୋଭିଡ୍‌ ଟିକା ପାଟନାରୁ ଶୁଭାରମ୍ଭ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ବିହାରର ପାଟନାରେ ଭାରତର ପ୍ରଥମ ଛୁଞ୍ଚିରହିତ କୋଭିଡ୍‌-୧୯ ନିରୋଧୀ ଟିକା ‘ଜାଇକୋଭ୍‌-ଡି’ର ଶୁଭାରମ୍ଭ କରାଯାଇଛି। ଏପର୍ଯ୍ୟନ୍ତ ୩ଟି ଟିକାକରଣ କେନ୍ଦ୍ରରେ ଆରମ୍ଭ ହୋଇଛି ଏବଂ ଛୁଞ୍ଚି ଫୋଡ଼ା ଭୟରେ ଟିକା ନେଇ ନ ଥିବା ଲୋକେ ଉପକୃତ ହେଉଛନ୍ତି।

 ‘କୋଭାକ୍ସିନ୍‌’ ପରେ ‘ଜାଇକୋଭ୍‌-ଡି’ ହେଉଛି ଭାରତର ଦ୍ବିତୀୟ ସ୍ବଦେଶୀ ଟିକା। ପ୍ଲାଜ୍‌ମିଡ୍‌ ଡିଏନ୍‌ଏ ପ୍ଲାଟ୍‌ଫର୍ମରେ ବିକଶିତ କରାଯାଇଥିବାରୁ ଏହି ଛୁଞ୍ଚିରହିତ ଟିକାର ଅଭିନବତ୍ବ ରହିଛି। ୧୨ ରୁ ୧୫ ବର୍ଷ ବୟସ୍କ ପିଲାଙ୍କ ଦିଆଯିବା ପାଇଁ ମଞ୍ଜୁରି ମିଳିଥିଲେ ବି ଭାରତରେ ପ୍ରଥମେ ପ୍ରାପ୍ତ ବୟସ୍କମାନଙ୍କୁ ‘ଜାଇକୋଭ୍‌-ଡି’ ଦିଆଯାଉଛି।

‘ଜାଇଡସ୍‌ କେଡିଲା’ ଔଷଧ କମ୍ପାନି ଦ୍ବାରା ନିର୍ମିତ ‘ଜାଇକୋଭ୍‌-ଡି’ ୨୮ ଏବଂ ୫୬ ଦିନ ବ୍ୟବଧାନରେ ୩ଟି ଡୋଜ୍‌ରେ ଦିଆଯାଏ। ପ୍ରତି ଡୋଜ୍‌ ଟିକା ଡାହାଣ ଓ ବାମ ହାତରେ ୨ ଥରରେ ଦିଆଯାଏ। ଅର୍ଥାତ୍‌, ଟିକା ଡୋଜ୍‌ ପୂର୍ଣ୍ଣ କରିବାକୁ (୩ ଡୋଜ୍‌) ଜଣେ ବ୍ୟକ୍ତିଙ୍କୁ ୬ଥର ଟିକା ନେବାକୁ ପଡ଼ିବ।