ମୋଦୀଙ୍କ ମାଟିରେ ଏଭଳି ଜଘନ୍ୟ କାଣ୍ଡ

ଦୁଇବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ୨୫ ବର୍ଷର ଯୁବକ

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ କ୍ଷମତାରେ ରହିବା ପରଠାରୁ ନରେନ୍ଦ୍ର ମୋଦୀ ସର୍ବଦା ନାରୀଶକ୍ତିର ଗୁଣଗାନ କରୁଛନ୍ତି । ଜନ୍ମଦିନରେ ମା’ଙ୍କ ପାଦଛୁଇଁ ଆଶୀର୍ବାଦ ନେଉଛନ୍ତି । ନାରୀମାନଙ୍କୁ ଗ୍ୟାସ୍‌ ସିଲିଣ୍ଡର ଦେଇ ଧୂଅାଁମୁକ୍ତ ଜୀବନ ଦେଇଛନ୍ତି । ‘ବେଟି ବଚାଓ ବେଟି ପଢ଼ାଓ’ ସ୍ଲୋଗାନ୍‌ ଦେଇ ଝିଅଙ୍କ ଶିକ୍ଷା ଓ ଦୀକ୍ଷାକୁ ଗୁରୁତ୍ୱ ଦେଉଛନ୍ତି । ଏତେସବୁ ପରେ ମଧ୍ୟ ତାଙ୍କ ଅମଳରେ ନିରୀହ କୋମଳମତି ଶିଶୁକନ୍ୟା ସୁରକ୍ଷିତ ନୁହନ୍ତି । ଆଖିର ପଲକ ପଡ଼ିବା ମାତ୍ରେ କାମନାର ନିଅାଁରେ ଜଳୁଥିବା ନରପିଶାଚମାନେ ମାଡ଼ିବସନ୍ତି କୋମଳମତି ଶିଶୁକନ୍ୟାଙ୍କୁ । ସେମାନଙ୍କ ନିରୀହ ମୁହଁର ଦରୋଟି ପ୍ରତିବାଦକୁ ତିଳେ ମାତ୍ର ଭ୍ରୁକ୍ଷେପ କରନ୍ତି ନାହିଁ । ଦୁଷ୍କର୍ମର ଶିକାର କରି ଛାଡ଼ି ଦିଅନ୍ତି ଅନ୍ଧଗଳିରେ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମମାଟିରେ । ସୁରତର ଏକ ରେଡ୍‌ ଲାଇଟ୍‌ ଏରିଆରୁ ଗୋଟିଏ ଦୁଇବର୍ଷର ଶିଶୁକନ୍ୟାକୁ ଅପହରଣ ପରେ ଟ୍ରକ୍‌ କ୍ୟାବିନରେ ଦୁଷ୍କର୍ମ କରୁଥିବା ସମୟରେ ପାଟ୍ରୋଲିଂରେ ଥିବା ପୁଲିସଙ୍କ ହାବୁଡ଼ରେ ପଡ଼ିଯାଇଥିଲା । ଅଭିଯୁକ୍ତ ଟ୍ରକ ଚାଳକର ବୟସ ୨୫ ବର୍ଷ ।

ଝିଅଟି କାଳେ ଚିଲାଇବ, ସେହି ଆଶଙ୍କାରେ ଅଭିଯୁକ୍ତ ତା’ ପାଟିରେ କନା ପୁରାଇ ଦେଇଥିଲା । ଝିଅଟିକୁ ଉଦ୍ଧାର କରିବା ପରେ ପୁଲିସ ତାକୁ ଡାକ୍ତରଖାନା ନେଇଯାଇଥିଲା । ଝିଅଟିର ଗୁପ୍ତାଙ୍ଗରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଅପହରଣଠାରୁ ପ୍ରାୟ ୬ କିମି ଦୂରରେ ଟ୍ରକ୍‌ ରଖି ଚାଳକ ଏଭଳି ଜଘନ୍ୟ କାଣ୍ଡ କରୁଥିଲା । ଅଭିଯୁକ୍ତ ଟ୍ରକ୍‌ ଚାଳକର ଘର ୟୁପିର ଦେବରିୟା ଅଂଚଳରେ । ତା’ର ନାମ ଶୁଭଦୀପ ବାଲକିଶୁନ । ପୁଲିସ ନିଜଆଡୁ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।