ସିବିଆଇ ହାତରେ ସୁଶାନ୍ତଙ୍କ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୪ ମାସ ବିତିଗଲାଣି । ଏବେବି ତାଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା କି ହତ୍ୟା ତାହା ଉପରୁ ପରଦା ଉଠି ପାରିନାହିଁ। ଏହି ସମୟରେ ଏମ୍‌ସର ଏକ ଡାକ୍ତରୀ ଦଳ ସୁଶାନ୍ତଙ୍କ ବ୍ୟବଚ୍ଛେଦ ଓ ଭିସେରା ନମୁନାକୁ ନେଇ କରାଯାଇଥିବା ଯାଞ୍ଚ୍‌ ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରାଇଛନ୍ତି।

ସୋମବାର ସଂଧ୍ୟାରେ ଏମ୍ସର ଡାକ୍ତରୀ ଦଳ ଏହି ଯାଞ୍ଚ୍‌ ରିପୋର୍ଟକୁ ସିବିଆଇ ନିକଟରେ ଜମା କରିଥିବା ସୂଚନା ରହିଛି। ସୁଶାନ୍ତଙ୍କର ହତ୍ୟା କରାଯାଇଛି ନା ଏହା ଏକ ଆତ୍ମହତ୍ୟା ବୋଲି ଜାଣିବା ପାଇଁ ସିବିଆଇ କରୁଥିବା ତଦନ୍ତ ସହ ଏହି ରିପୋର୍ଟକୁ ମଧ୍ୟ ବିଶ୍ଳେଷଣ କରାଯାଉଛି। ଏହି ସବୁ ରିପୋର୍ଟକୁ ବିଶ୍ଳେଷଣ କରିବା ପରେ ସିବିଆଉ ଚୂଡ଼ାନ୍ତ ତଥ୍ୟ ପ୍ରଦାନ କରିବ ବୋଲି କୁହାଯାଉଛି ।

ଏଠାରେ ସୂଚନାଥାଉକି , ପୂର୍ବରୁ ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂ ଦାବି କରିଥିଲେ ଯେ ସୁଶାନ୍ତଙ୍କୁ ଗଳା ଚିପି ହତ୍ୟା କରାଯାଇଛି । ଏହା ୨୦୦ ପ୍ରତଶତ ସତ। ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ଏମ୍‌ସ ଡାକ୍ତର ସ୍ପଷ୍ଟ କରିଛନ୍ତି ବୋଲି କହି ଓକିଲ ସିଂହ ଏହି ଦାବି କରିଥିଲେ। ତେଣୁ ପୂର୍ବରୁ ଉପଲବ୍ଧ ଥିବା ସୁଶାନ୍ତଙ୍କ ୨୦ ପ୍ରତିଶତ ଭିସେରା ନମୁନାକୁ ନେଇ ଏମ୍ସ ପୁଣି ଥରେ ଯାଞ୍ଚ୍‌ ଆରମ୍ଭ କରିଥିଲା।