କଟକଣା ସହ ଆରମ୍ଭ ହେଲା ବିଧାନସଭା

ଭୁବନେଶ୍ୱର(ଏସ୍ ନ୍ୟୁଜ): କରୋନା କଟକଣା ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେସନ ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏ ଚାଲିବ ।

କରୋନା ମହାମାରୀ ସମୟରେ କୋଭିଡ କଟକଣାକୁ ଗୁରୁତ୍ୱ ଦେଇ ବିଧାନସଭାର ଅଧିବେଶନ ଆରମ୍ଭ ହୋଇଛି । ଦିନ ୧୧ଟାରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପୂର୍ବଭଳି ଏଥର ଆରମ୍ଭରୁ ଯେଭଳି ପ୍ରଶ୍ନକାଳ ରଖାଯାଇଥାଏ ତାହାକୁ ଏହି ଅଧିବେଶନରୁ ବାଦ ଦିଆଯାଇଛି । ବିଧାନସଭା ଗେଟ ସମ୍ମୁଖରେ ଥର୍ମାଲ ସ୍କ୍ରିନିଂ ପରେ ବିଧାୟକମାନେ ଗୃହକୁ ପ୍ରବେଶ କରିଥିଲେ । ୬୦ ବର୍ଷରୁ ଉର୍ଦ୍ଧ୍ୱ ଓ ପଜିଟିଭ ଚିହ୍ନଟ ହୋଇଥିବା ବିଧାୟକ ମାନଙ୍କ ବ୍ୟତୀତ ଏହି ଅଧିବେଶନରେ ଅନ୍ୟ ସମସ୍ତ ବିଧାୟକମାନଙ୍କୁ ବିଧାନସଭା ପରିସରକୁ ଯିବାକୁ ଅନୁମତି ମିଳିଛି ।

ଅନ୍ୟପଟେ ଅଧିବେଶନରେ ପ୍ରଶ୍ନକାଳ ନଥିବା ଯୋଗୁ ବିଧାନସଭା ଭିତରେ ସରକାରଙ୍କୁ ଘେରବାକୁ ଅନେକ ପ୍ରସଙ୍ଗ ରହିଛି । ଯେଭଳି କି କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତା , କୃଷି ବିଲ କୁ ସରକାରଙ୍କ ସମର୍ଥନ ପ୍ରସଙ୍ଗ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏନେଇ ଗତକାଲି ବିରୋଧୀ ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ଭାବେ ବିଧାୟକ ଦଳ ବୈଠକ ଡାକି ରଣନୀତି ପ୍ରସ୍ତୁତ କରିଥିବା ବେଳେ ବିରୋଧୀଙ୍କୁ ଜବାବ୍ ଦେବାକୁ ସରକାରୀ ଦଳ ବି ବିଧାୟକମାନଙ୍କୁ ଡାକି ଏକ ବୈଠକ କରିଥିଲେ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଅଧ୍ୟକ୍ଷତା କରିଥିଲେ ।

ସେପଟେ ବିଜେପି ଓ ବିଜେଡିର କିଛି ବିଧାୟକ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ବିଧାନସଭାରୁ ବାଦ ପଡିଥିବା ବେଳେ କଂଗ୍ରେସର ୯ ରୁ ୯ ବିଧାୟକଙ୍କ କୋଭିଡ ଟେଷ୍ଟ ନେଗେଟିଭ୍ ବାହାରିଛି । ଏହାକୁ ନେଇ ଅଧିବେଶନରେ କଣ ପ୍ରସଙ୍ଗ ଉଠୁଛି ତାହା ଦେଖିବାକୁ ବାକି ରହିଲା ।