୧୦୦ ନାଗରିକଙ୍କୁ କଲା ହତ୍ୟା ତାଲିବାନ୍‌

କାନ୍ଦାହାର : ଆଫଗାନିସ୍ତାନରେ ତାଲିବାନର ଆତଙ୍କରାଜ । କାନ୍ଦାହାରର ସ୍ପିନ୍‌ ବୋଲଡେକ୍‌ ଜିଲ୍ଲାରେ ତାଲିବାନୀମାନେ ପ୍ରାୟ ୧୦୦ ଜଣ ନାଗରିକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଆଫଗାନ୍‌ ଗୃହ ମନ୍ତ୍ରାଳୟ ଏହି ହତ୍ୟାକାଣ୍ଡ ପାଇଁ ତାଲିବାନକୁ ଦାୟୀ କରିଛି । ଏହାପୂର୍ବରୁ ଖବର ଆସିଥିଲା ଯେ, ଆତଙ୍କବାଦୀ ସଙ୍ଗଠନ ଆଫଗାନର ୯୦ ପ୍ରତିଶତ ସୀମାନ୍ତ ଅଞ୍ଚଳ ଉପରେ କବଜା କରି ନେଇଥିଲା । ଗତ ସପ୍ତାହରେ ସଙ୍ଗଠନ ସ୍ପିନ୍‌ ବୋଲଡର୍‌ ଜିଲ୍ଲାରେ ଆକ୍ରମଣ କରିଥିଲା । ଏଥିରେ ୧୦୦ ଜଣ ପ୍ରାଣ ହରାଇଛନ୍ତି । ସେମାନଙ୍କ ମୃତଦେହ ସେପରି ପଡିରହିଛି । କେବଳ ହତ୍ୟାକାଣ୍ଡ ନୁହେଁ, ତାଲିବାନ ଅନେକ ନାଗରିକଙ୍କ ଘର ଲୁଟ୍‌ କରିବା ସହ ସେଠାରେ ନିଜ ପତାକା ଲଗାଇଛି । ଛୋଟ ଶିଶୁଙ୍କୁ ମଧ୍ୟ ହତ୍ୟା କରିଛି । କିନ୍ତୁ ଏବେସୁଦ୍ଧା ସଙ୍ଗଠନ ମୃତ୍ୟୁ ପାଇଁ ନିଜକୁ ଦାୟୀ କରିନାହିଁ । ଏପରିକି ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛି ।