ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ମୃତ

ଗଞ୍ଜାମ,(ଏସ୍‌ ନ୍ୟୁଜ): ଗୋପାଳପୁର ଥାନା ଅନ୍ତର୍ଗତ ବିକ୍ରମପୁର ଗ୍ରାମରେ ପାଇଖାନା ଟାଙ୍କି ସେଟ୍ରିଂ ଖୋଲୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ଶ୍ରମିକମାନେ ହେଲେ ସେହି ଗ୍ରାମର ଏମ.ସଦାନନ୍ଦ(୫୦), ପି. କ୍ରିଷ୍ଣା ରେଡ୍ଡୀ(୫୦) ଓ ପି.ତରେନେୟା(୪୫) । ବିକ୍ରମପୁରର ଟି.ସିଧେଶୁଙ୍କ ନୂତନ ଭାବେ ତିଆରି ହୋଇଥିବା ପାଇଖାନା ଟାଙ୍କି ସେଟ୍ରିଂ ଖୋଲିବା ପାଇଁ ପ୍ରଥମେ ମିସ୍ତ୍ରୀ ଏମ୍‌. ସଦାନନ୍ଦ ଭିତରକୁ ଯାଇଥିଲେ । ଅନେକ ସମୟ ଧରି ସେ ଫେରିନଥିଲେ । ପରେ ପଡୋଶୀ ପି.କ୍ରିଷ୍ଣା ସେହି ଟାଙ୍କି ଭିତରକୁ ଯାଇଥିଲେ । ପରବର୍ତ୍ତୀ ସମୟରେ ସେ ମଧ୍ୟ ବାହାରକୁ ଆସି ନଥିଲେ । ଏହା ପରେ ଅନ୍ୟ ଜଣେ ପଡୋଶୀ ପି.ତାରେନେୟା ଉକ୍ତ ଟାଙ୍କି ଭିତରକୁ ଯାଇ ସେ ଆଉ ଫେରିନଥିଲେ । ସେମାନେ ନଆସିବାରୁ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଡାକିଥିଲେ । ପରେ ସ୍ଥାନୀୟ ଲୋକେ ଟାଙ୍କି ଭିତରୁ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି । ଏ ନେଇ ଥାନାରେ ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ମାଧବାନନ୍ଦ ନାୟକ କହିଛନ୍ତି ।