ଭାରତ ନେତୃତ୍ୱରେ ସମ୍ମିଳନୀକୁ ତାଲିବାନର ସମର୍ଥନ

କାବୁଲ : ଆଫଗାନିସ୍ତାନ ଲାଗି ଭାରତ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ତାଲିବାନ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି । ଭାରତରେ ଅନୁଷ୍ଠିତ ଆଫଗାନିସ୍ତାନ ସମ୍ପର୍କିତ କ୍ଷେତ୍ରୀୟ ବୈଠକ ଆମ ହୀତ ଲାଗି ଥିଲା ବୋଲି କହିଛନ୍ତି । ତାଲିବାନ ସରକାର ଭାରତ ଉପରେ ସମ୍ପୂର୍ଣ୍ଣ ଭରସା କରୁଥିବା ଓ ସମସ୍ତ ପଡୋଶୀ ଦେଶଙ୍କ ସହ ସମ୍ପର୍କ ନିବିଡ଼ କରିବାକୁ ଚାହୁଁଥିବା ଘୋଷଣା କରିଛି । ଭାରତରେ ହୋଇଥିବା ବୈଠକକୁ ନେଇ ଆମର କୌଣସି ଆପତ୍ତି ନାହିଁ ବୋଲି ତାଲିବାନ ମୁଖପାତ୍ର କହିଛନ୍ତି । ଏହି ସମ୍ମିଳନୀର ନିଷ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏହି କ୍ଷେତ୍ରୀୟ ସୁରକ୍ଷା ବାର୍ତ୍ତାର କିଛି ଘଣ୍ଟା ପରେ ତାଲିବାନ ମୁଖପାତ୍ର ଅଡିଓ ବାର୍ତ୍ତା ଜାରି କରି ଏହା କହିଛନ୍ତି । ସେ କହିଛନ୍ତି ଯେ ଏହି ସମ୍ମିଳନୀ ଆଫଗାନିସ୍ତାନର ହୀତରେ ହିଁ ହୋଇଛି । ଏହି ବାର୍ତ୍ତାରେ ଅଂଶଗ୍ରହଣକାରୀ ଦେଶମାନେ ମଧ୍ୟ ଆଫଗାନିସ୍ତାନର ସୁରକ୍ଷା ସ୍ଥିତିରେ ସୁଧାର ସମ୍ପର୍କରେ ବିଚାର କରି ବର୍ତ୍ତମାନର ସରକାରଙ୍କୁ ସହାୟତା କରନ୍ତୁ ବୋଲି ନିବେଦନ କରିଛନ୍ତି । ଏନଏସଏଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଇରାନର ଜାତୀୟ ସୁରକ୍ଷା ପରିଷଦ ସଚିବ, ଋଷ ସୁରକ୍ଷା ପରିଷଦ ସଚିବ, କାଜିକିସ୍ତାନ, କିର୍ଗିଜସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନ ସୁରକ୍ଷା ପରିଷଦ ସଚିବ ମାନେ ମଧ୍ୟ ଯୋଗ ଦେଇଥିଲେ । ଆଲୋଚନା ପରେ ସୁରକ୍ଷା ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଥିଲେ ।