ଆଇଏନଏକ୍ସ ମାମଲାରେ ଚିଦାମ୍ବରମଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ହାଇକୋର୍ଟ ସିବିଆଇର ଆବେଦନକୁ ଖାରଜ କରି ଦେଇଛନ୍ତି । ଯେଉଁଥିରେ ତଳକୋର୍ଟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ ଦିଆଯାଇଥିଲା । ତଳ କୋର୍ଟରେ ଅଭିଯୁକ୍ତ ଦ୍ୱାରା ଦାଖଲ ଦସ୍ତାବିଜର ନୀରିକ୍ଷଣ ପାଇଁ ଆଦେଶ ଦିଆଯାଇଥିଲା । ଯାହାକୁ ଚ୍ୟାଲେଞ୍ଜ୍‌ ଦେଇ ସିବିଆଇ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଖଲ କରିଥିଲା । ସୂଚନାନୁସାରେ ତଳକୋର୍ଟ ଆଇଏନଏକ୍ସ ମିଡିଆ ମାମଲାରେ ପି ଚିଦାମ୍ବରମ ଓ ପୁଅ କାର୍ତ୍ତି ଚିଦାମ୍ବରମ ଏବଂ ଅନ୍ୟ ଅଭିଯୁକ୍ତଙ୍କ ସମ୍ଭନ୍ଧୀୟ ଦସ୍ତାବିଜର ନୀରିକ୍ଷଣ ପାଇଁ ଅନୁମତି ଦେଇଥିଲେ । ମାମଲାର ଶୁଣାଣି କରି ନ୍ୟାୟମୂର୍ତ୍ତି ମୁକ୍ତାଗୁପ୍ତା କହିଥିଲେ ଯେ, ଆବେଦନକୁ ଖାରଜ କରାଯାଇଛି । ସୂଚନାଯୋଗ୍ୟ ସିବିଆଇ ୨୦୧୭, ମେ ୧୫ରେ ମାମଲା ରୁଜୁ କରିଥିଲା । ଅର୍ଥମନ୍ତ୍ରୀ ଥିବା ବେଳେ ସେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା । ୨୦୧୯ ଅଗଷ୍ଟ ୨୧ ତାରିଖରେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିଥିଲା ।