ଆଜି ହେବନି ଶୁଣାଣୀ

ନୂଆଦିଲ୍ଲୀ: ଡ୍ରଗ୍ସ କାରବାରରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଶୁଣାଣିକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି। ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ବମ୍ବେ ହାଇକୋର୍ଟ ପକ୍ଷରୁ ଶୁଣାଣି ତାରିଖ ଘୁଞ୍ଚାଇ ଦିଆଯାଇଥିବା ଜଣା ପଡ଼ିଛି। ଏ ନେଇ ରିୟାଙ୍କ ଓକିଲ ସିତିଶ ମାନସିନ୍ଦେ ସୂଚନା ଦେଇଛନ୍ତି।

ଡ୍ରଗ୍ସ କାରବାରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କର ସଂପୃକ୍ତି ଥିବା ଜଣାପଡିବା ପରେ ସେପ୍ଟେମ୍ବର ୮ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ଜାମିନ ଖାରଜ ହେବାପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଗତକାଲି ଏହି ମିଆଦ ଶେଷ ହେବାପରେ ପୁଣି ଅକ୍ଟୋବର ୬ ତାରିଖ ଯାଏଁ ତାଙ୍କର ବିଚାର ବିଭାଗୀୟ ମିଆଦ ବୃଦ୍ଧି କରାଯାଇଥିଲା। ଏହା ସହ ରିୟା ଏବଂ ତାଙ୍କ ଭାଇ ସୌଭିକ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଅ‌ାବେଦନ କରିଥିଲେ। ଆଜି ଆବେଦନ ଉପରେ ଶୁଣାଣି ହେବାକୁ ଥିବା ବେଳେ ଶୁଣାଣିକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି। ଏହାକୁ ନେଇ ବଲିଉଡ ଡ୍ରଗ୍ସ ଲିଙ୍କରେ ଗିରଫ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ବେଲ୍ ମିଳିବ କି ଜେଲ ହେବ , ତାହା ଆସନ୍ତାକାଲି ସ୍ପଷ୍ଟ ହେବ।

ସୂଚନା ମୁତାବକ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏନସିବିର ପଚରା ଉଚରା ବେଳେ ଉଭୟ ରିୟା ଓ ସୌଭିକ ସ୍ୱୀକାର କରିଛନ୍ତି ଯେ, ସୁଶାନ୍ତଙ୍କ ପାଇଁ ସେମାନେ ଡ୍ରଗ୍ସ କିଣୁଥିଲେ । ତେବେ ସୁଶାନ୍ତଙ୍କ ଜୀବନରେ ଆସିବା ପୂର୍ବରୁ ରିୟା ନିଜେ ଡ୍ରଗ୍ସ ନେଉଥିବା କହିଛନ୍ତି । କିନ୍ତୁ ଏହାର ପାଶ୍ୱର୍ପ୍ରତିକ୍ରିୟାକୁ ଦେଖି ଧିରେଧିରେ ଦୂରେଇ ଯାଇଥିଲେ । କେଦାରନାଥ ଫିଲ୍ମର ସୁଟିଂବେଳେ ସୁଶାନ୍ତ ଅଧିକ ଡ୍ରଗ୍ସ ନେବା ଆରମ୍ଭ କରିଥିବା ସେମାନେ ଏନସିବିକୁ ସୂଚନା ଦେଇଛନ୍ତି ।

ଏପରିକି ରିୟା ଓ ସୌଭିକର କିଛି ହ୍ୱାଟ୍ସଆପ ଚାଟକୁ ହାତରେ ଲାଗିବା ପରେ, ଡ୍ରଗ୍ସ କାରବାରରେ ସଂପୃକ୍ତ ବଲିଉଡର କିଛି ବଡବଡ ଚେହେରାଙ୍କୁ ନେଇ ଏନସିବି ହାତରେ ପ୍ରମାଣ ଲାଗିଛି । ଏହାକୁ ଛାନଭିନ କରି ଏନସିବି ତାର ତଦନ୍ତ ଆଗକୁ ବଢ଼ିଥିବା ବେଳେ ରିୟାଙ୍କ ବୟାନ ଆଧାରରେ ଏମାନଙ୍କୁ ସମନ କରିବା ପାଇଁ ପ୍ରସ୍ତୁତି କରୁଛି ଏନସିବି ।