ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ବଜେଟ ଅଧିବେଶନ

ନୂଆଦିଲ୍ଲୀ : ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ବଜେଟ ଅଧିବେଶନ । ଅନ୍ୟପକ୍ଷରେ ଅଧିବେଶନ ଶେଷ ହେବା ପରେ ସୌଜନ୍ୟମୂଳକ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ବିଭିନ୍ନ ବିରୋଧୀ ଦଳ । କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟ କିଛି ବିରୋଧୀ ଦଳ ନେତା ସରକାରୀ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଏହି ସାକ୍ଷାତକାର ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଲୋକସଭା ବାଚସ୍ପତି ଓମ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ । ସେହିପରି କେବଳ ସୋନିଆ ନୁହନ୍ତି, ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ସମାଜବାଦୀ ପାର୍ଟି ମୁଲାୟମ ସିଂ ଯାଦବଙ୍କ ସମେତ ଅନ୍ୟ କିଛି ନେତା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଆଜିର ସାକ୍ଷାତକାର ପରେ ଟ୍ୱିଟ କରି ଗୃହରେ ସମସ୍ତଙ୍କ ସହଯୋଗର ଭୂମିକା କଥା ଉଲ୍ଲେଖ କରିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଗୃହର ସମ୍ମାନ ବୃଦ୍ଧି ତଥା ଫଳପ୍ରଦ ଆଲୋଚନା ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ ଓ ସମସ୍ତ ଦଳ ଏଥିରେ ସକ୍ରିୟ ସହଯୋଗ କରିବେ ବୋଲି ଆଶା କରୁଥିବା ନେଇ ବାଚସ୍ପତି ବିର୍ଲା ଟ୍ୱିଟ କରିଛନ୍ତି ।