ପୋଲ ତଳକୁ ଖସିଲା ବସ୍‌‌ ; ୧୫ ମୃତ, ୨୫ ଆହତ

ଭୋପାଳ: ମଧ୍ୟପ୍ରଦେଶର ଖରଗୋନ ଅଞ୍ଚଳରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଇନ୍ଦୋର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ହାଥିନୀ ନଦୀ ପାର ହେଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ଟିରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ବସ୍‌ଟି ହାଥିନୀ ନଦୀ ଉପରେ ଯାଉଥିବା ବେଳେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଗାଡ଼ିଟି ଭାରସାମ୍ୟ ହରାଇ ପୋଲ ବାଡ଼ା ଭାଙ୍ଗି ତଳକୁ ଖସି ପଡ଼ିଥିଲା। ଏହାଦେଖି ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ତୁରନ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲା। ସେଠାରେ ଡାକ୍ତର ୧୫ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ୨୦ ଜଣଙ୍କ ଚିକିତ୍ସା ଚାଲିଛି। ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି।