ସ୍କୁଲ ଖୋଲିବା ନେଇ କେନ୍ଦ୍ର ଜାରିକଲା ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ସଂକ୍ରମଣ କମୁଥିବାରୁ କିଛି ରାଜ୍ୟ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ଆଜି ଜାରି କରିଥିବା ସଂଶୋଧିକ ଗାଇଡଲାଇନ ଓ କୋଭିଡ ପ୍ରୋଟକଲ ଉଭୟ ସ୍କୁଲ ଏବଂ କଲେଜ ଖୋଲିବା ବେଳେ ଲାଗୁ ହେବ।
ସ୍କୁଲ ଶିକ୍ଷା ଓ ସ୍ୱାକ୍ଷର ବିଭାଗର ଯୁଗ୍ମ ସଚିବ ସ୍ୱିଟୀ ଚଙ୍ଗସାନ କହିଛନ୍ତି, “ସ୍କୁଲ ଖୋଲିବା ଓ ସାମଜିକ ଦୂରତାର ସହ ଶିକ୍ଷାଦାନକୁ ଦୁଇ ଭାଗରେ ବିଭିକ୍ତ କରି ଏସ୍ଓପି ଓ ଗାଇଡଲାଇନ ଜାରି କରାଯାଇଛି।” ପାର୍ଟ ୧ରେ ସ୍ୱାସ୍ଥ୍ୟ, ହାଇଜିନ ଓ ସୁରକ୍ଷାକୁ ସ୍କୁଲ ଖୋଲିବା ସମୟରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ଦ୍ୱିତୀୟ ପାର୍ଟରେ ସାମାଜିକ ଦୂରତାର ସହ ଶିକ୍ଷାଦାନ ଓ ଅନ୍ୟାନ୍ୟ ବିଷୟ ଯଥା ମାନସିକ ସ୍ଥିତି, ୱାର୍କଲୋଡ ଓ ଟାଇମ ଟେବୁଲ ଆଦି ରହିଛି। ସେହପରି ସ୍କୁଲରେ ସାମାଜିକ ଦୂରତା ବଦଳରେ ଶାରିରୀକ ଦୂରତା ଶବ୍ଦର ବ୍ୟବହାର କରାଯିବ।

କେନ୍ଦ୍ର ସରକାର ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ବେଳେ କ’ଣ ସବୁ ଗାଇଡଲାଇନ ପାଳନ କରିବାକୁ ହେବ, ସେ ବିଷୟରେ ବିସ୍ତୃତ ତଥ୍ୟ ଦେଇଛନ୍ତି।
୧-ସ୍କୁଲ ଖୋଲିବା ପୂର୍ବରୁ ଉପଯୁକ୍ତ ସଫେଇ ଓ ସାନିଟାଇଜେସନର ବ୍ୟବସ୍ଥା ହେବ।
୨- ସିଟିଂ ଆରଜେମେଣ୍ଟ ବେଳେ ପିଲାଙ୍କ ମଧ୍ୟରେ ୬ ଫୁଟ ଦୂରତା ରହିବ।
୩-ଷ୍ଟାଫ ରୁମ, ଅଫିସ ଅଞ୍ଚଳ, ପ୍ରାର୍ଥନା ଗୃହ ଓ ଅନ୍ୟ ସ୍ଥାନଗୁଡ଼ିକରେ ସବୁବେଳେ ସାମାଜିକ ଦୂରତା ନିୟମ ପାଳନ କରାଯିବ।
୪-ବିଭିନ୍ନ କ୍ଲାସର ଟାଇମକୁ ମଧ୍ୟ ଆବଶ୍ୟକ ଅନୁଯାୟୀ ହ୍ରାସ କିମ୍ବା ବଦଳା ଯାଇପାରିବ।
୫-ସାମାଜିକ ଦୂରତା ନିୟମ ଲାଗୁ ହୋଇ ପାରୁନଥିବା କୌଣସି କାର୍ଯ୍ୟକ୍ରମ ସ୍କୁଲରେ ହେବନି।
୬-କ୍ରୀଡ଼ା ଓ ଅନ୍ୟ କାର୍ଯ୍ୟକ୍ରମ ଆୟୋଜନ ନିଷ୍ପତ୍ତି ରାଜ୍ୟ ସରକାର ନେବେ।
୭-ସ୍କୁଲକୁ ପିଲା ଓ ଶିକ୍ଷକମାନେ ମାସ୍କ ପିନ୍ଧି ଆସିବେ।
୮-ମଧ୍ୟାହ୍ନ ଭୋଜନ ପ୍ରଦାନ ବେଳେ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ।
୯- ବହୁବିଧି ରୋଗରେ ଆକ୍ରାନ୍ତ ପିଲାଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।
୧୦-କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ଅଞ୍ଚଳରୁ ବସ୍ ଡ୍ରାଇଭର କିମ୍ବା ପିଲା ଆସିପାରିବେ ନାହିଁ।
୧୧-ସାମାଜିକ ଦୂରତା ବଦଳରେ ଶାରିରୀକ ଦୂରତା ଶବ୍ଦର ବ୍ୟବହାର କରାଯିବ।
୧୨-ଶାରିରୀକ ଦୂରତା ପାଇଁ ସ୍କୁଲରେ ମାର୍କିଂ ବ୍ୟବସ୍ଥା ହେବ।