ଚାଇନାର ୱିଣ୍ଟର ଅଲିମ୍ପିକ୍ସକୁ ଭାରତର ବୟକଟ

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି। ଚାଇନାର ରାଜଧାନୀ ବେଜିଂରେ ୱିଣ୍ଟର ଅଲିମ୍ପିକ୍ସ ହେବ। ଚାଇନା ୱିଣ୍ଟର ଅଲିମ୍ପିକ୍ସକୁ ରାଜନୀତିକରଣ କରୁଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି। ଉଦଘାଟନୀ ଓ ଉଦଯାପନୀ ଉତ୍ସବକୁ ଭାରତ ବୟକଟ କରିଛି। ଏହି କାର୍ଯ୍ୟକ୍ରମରେ ଭାରତର କୌଣସି ଦୂତାବାସ କର୍ମଚାରୀ ସାମିଲ ହେବେନାହିଁ।

ୱିଣ୍ଟର ଅଲିମ୍ପିକ୍ସର ଟର୍ଚ୍ଚ ମସାଲକୁ ଚାଇନା ଗଲଓ୍ୱାନ ଲଢ଼େଇରେ ସାମିଲ୍ ଜଣେ ସୈନିକଙ୍କୁ ଧରାଇଥିବା ଖବର ପ୍ରକାଶ ପାଇଛି। ପିପୁଲ୍ସ ଲିବେରେସନ ଆର୍ମି ବା ପିଏଲଏର ରେଜିମେଣ୍ଟ କମାଣ୍ଡର କି ଫାବାଓ ଟର୍ଚ୍ଚ ମସାଲ ଧରିଥିବା ବେଳର ଫଟୋ ସାମ୍ନାକୁ ଆସିବା ପରେ ଭାରତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଫାବାଓ ଗଲୱାନ୍ ସଙ୍ଘର୍ଷରେ ସାମିଲ ହୋଇଥିଲେ। ଭାରତୀୟ ସେନାଙ୍କ ସହ ଲଢ଼େଇ ବେଳେ ସେ ଗୁରୁତର ଆହତ ହୋଇଥିଲେ।

ରିପୋର୍ଟ ପରେ ଆଜି ଶ୍ରୀ ବାଗଚି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ କହିଛନ୍ତି ଯେ “ଚାଇନା ୱିଣ୍ଟର ଅଲିମ୍ପିକ୍ସକୁ ରାଜନୀତିକ ରୂପ ଦେବା ଦୁଃଖଦାୟକ। ଭାରତୀୟ ରାଷ୍ଟ୍ରଦୂତ ବେଜିଂ ୱିଣ୍ଟର ଅଲିମ୍ପିକ୍ସର ଉଦଘାଟନ କିମ୍ବା ଉଦଯାପନୀ କାର୍ଯ୍ୟକ୍ରମରେ ସାମିଲ ହେବେନି।”
ଭାରତର ସରକାରଙ୍କ ଏପରି ନିଷ୍ପତ୍ତି ପରେ ଡିଡି ସ୍ପୋର୍ଟସ ଚ୍ୟାନେଲ ମଧ୍ୟ ବେଜିଂ ୱିଣ୍ଟର ଅଲିମ୍ପିକ୍ସର ଉଦଘାଟନୀ ଓ ଉଦଯାପନୀ ଉତ୍ସବ ପ୍ରସାରଣ କରିବ ନାହିଁ ବୋଲି କହିଛି। ଏ ସମ୍ପର୍କରେ ପ୍ରସାର ଭାରତୀୟ ସିଇଓ ଶଶି ଶେଖର ଭେମ୍ପପାତି ସୂଚନା ଦେଇଛନ୍ତି।