ଟ୍ୟାଙ୍କରରେ ନିଆଁ ୩ ଜୀବନ୍ତ ଦଗ୍ଧ

ହଜାରୀବାଗ: ଗ୍ୟାସ ଟ୍ୟାଙ୍କରରେ ନିଆଁ ଲାଗିବାରୁ ୩ଜଣ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ଏହି ଘଟଣା ଝାଡଖଣ୍ଡ ହଜାରୀବାଗରେ ଘଟିଛି । ସୂଚନା ଅନୁଯାୟୀ ଗ୍ୟାସ ଟ୍ୟାଙ୍କର ଏକ ଘାଟି ଅତିକ୍ରମ କରିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିବାରୁ ଏଥିରେ ନିଆଁ ଲାଗି ଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ରାସ୍ତାରେ ଯାଉଥିବା କିଛି ଗାଡି ମଧ୍ୟ ଏହାର ପୋଡି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ ।

ସେହିପରି ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ୍‌ ଓ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ମୃତକଙ୍କ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନି । ଏହି ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଥିଲା । ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡିଥିଲା ।