ପୁଲିସର ନିଦ ଭାଙ୍ଗିବା ପାଇଁ ଝୁଲିପଡ଼ିଲେ ନାବାଳିକା

ପୁଲିସକୁ ତା’ର ଦାୟିତ୍ୱ ବିଷୟରେ ଜଣାଇବା ପାଇଁ ଜଣେ ନାବାଳିକାଙ୍କୁ ଜୀବନ ହରାଇବାକୁ ପଡ଼ିଛି । ସତେ ଯେମିତି ପୁଲିସ ନାବାଳିକାଙ୍କ ଚରମ ପଦକ୍ଷେପକୁ ଚାତକ ପରି ଅପେକ୍ଷା କରିଥିଲା । ନାବାଳିକାଜଣକ ଆତ୍ମହତ୍ୟା କଲାପରେ ପୁଲିସ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଏୟା କ’ଣ ପୁଲିସର କର୍ତବ୍ୟ ପରାୟଣତା?

କାମନାର ନିଆଁରେ ତିଳତିଳ କରି ଜଳୁଥିବା କାମୁକ ଯୁବକ ଗୋଠ ଏବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଠେଙ୍ଗା ଦେଖାଇଛନ୍ତି । ୟୁପିର ମାଫିଆ ଗୋଠ ସିନା ଯୋଗୀଙ୍କ ଆଗରେ ମୁଣ୍ଡ ନୁଆଁଇ ଦେଲେ । ହେଲେ ୟୁପିର ଉତୁପାତିଆ ଯୁବକ ଗୋଠ ନାବାଳିକାଙ୍କୁ ଧର୍ଷଣ କରି ଯୋଗୀଙ୍କ ଆଗରେ ଛାତି ଫୁଲାଇ ଚାଲୁଛନ୍ତି । ଯୋଗୀଙ୍କ ବନ୍ଧୁକରୁ ଗୁଳି ବାହାରୁନି କି ଜଣେ ବି ଉତୁପାତିଆ ମରୁନି ।

ସୂଚନା ମୁତାବକ ୟୁପିର ବାରାବଂକିରେ ଜଣେ ଦଳିତ କନ୍ୟା ଦୁଷ୍କର୍ମର ଶିକାର ହୋଇ ହାଇଦରଗଡ଼ ପୁଲିସ ନିକଟକୁ ଯାଇ ଫେରାଦ ହୋଇଥିଲେ । ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିିବାରୁ ଅନ୍ୟ ଉପାୟ ନପାଇ ବିଚାରୀ ଆତ୍ମହତ୍ୟା କରିଛନ୍ତି । ସପ୍ତାହକ ତଳେ ନାବାଳିକାଙ୍କୁ ଜଣେ ଯୁବକ ଧର୍ଷଣ କରିବା ପରେ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା ।
ପୁଲିସ ପ୍ରଥମେ ନାବାଳିକାଙ୍କ ଅଭିଯୋଗ ପ୍ରତି କର୍ଣ୍ଣପାତ କରି ନଥିଲା । ମାତ୍ର ପୀଡ଼ିତା ଜଣକ ଆତ୍ମହତ୍ୟା କରିବା ପରେ ଘଟଣାଟି ବିଜୁଳି ବେଗରେ ଚାରିଆଡେ଼ ପ୍ରଚାର ହୋଇଗଲା । ପରିସ୍ଥିତି ବିଗିଡ଼ିବା ପୂର୍ବରୁ ପୁଲିସ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନା ଅନୁଯାଇ, ଜୁନ ୧୪ ତାରିଖରେ ଯୁବକ ଜଣକ କିଶୋରୀଙ୍କୁ ଦୁଷ୍କର୍ମ କଲା । ପୀଡ଼ିତା ପୁଲିସ ନିକଟରେ ପହଂଚି ପ୍ରାଥମିକ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାର ଦୁଇଦିନ ପର୍ଯ୍ୟନ୍ତ ପୁଲିସ ନିରବ ରହିଥିଲା । ପୀଡ଼ିତା ଜଣକ ପୁଲିସ ଅଧିକ୍ଷକଙ୍କ ନିକଟରେ ଫେରାଦ ହେବାରୁ ଜୁନ ୧୭ ତାରିଖରେ ପୁଲିସ ମାମଲା ରୁଜୁ କଲା; କିନ୍ତୁ ଅଭିଯୁକ୍ତକୁ ଗିରଫ କଲାନି । ଅନ୍ୟପକ୍ଷରେ ଅଭିଯୁକ୍ତ ପୀଡ଼ିତା ଓ ପରିବାର ଲୋକଙ୍କୁ ଧମକ ଦେଉଥିଲା । ଏହି ଘଟଣାରେ ମର୍ମାହତ ହୋଇ ପୀଡ଼ିତା ବୁଧବାର ରାତିରେ ଘରେ ବେକରେ ଦଉଡ଼ି ଲଗାଇ ଝୁଲି ପଡ଼ିଥିଲେ ।