ସରକାରଙ୍କୁ ସୁହାଇଛି ଫାଷ୍ଟାଗ୍‌: ୫ ବର୍ଷରେ ୫୦,୮୮୫ କୋଟି

ଚଳିତ ବର୍ଷ ପ୍ରଥମ ୬ ମାସରେ ଜୁନ ୧୯ ତାରିଖ ସୁଦ୍ଧା ଫାଷ୍ଟାଗ୍‌ ଜରିଆରେ ସରକାର ୨୮,୧୮୦ କୋଟି ଟଙ୍କା ରୋଜଗାର କରିଛନ୍ତି । ୨୦୨୧ରୁ ୨୦୨୨ ଭିତରେ ଫାଷ୍ଟାଗ ଆୟରେ ୪୬ ଭାଗ ବୃଦ୍ଧି ପାଇଛି । ପରିଣାମ ସ୍ୱରୂପ ଫାଷ୍ଟାଗ ଆୟ ୩୪,୭୭୮ କୋଟିରୁ ବୃଦ୍ଧି ପାଇ ୫୦,୮୫୫ କୋଟି ଟଙ୍କାରେ ପହଂଚିଛି । ଗତ ୫ ବର୍ଷରେ ଅର୍ଥାତ୍‌ ୨୦୧୭ରୁ ୨୦୨୨ ଭିତରେ ଫାଷ୍ଟାଗ ଆୟ ଦୁଇଗୁଣରୁ ଅଧିକ ହୋଇଛି । ୨୦୨୧ରେ ଫାଷ୍ଟାଗ ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯିବାରୁ ଏତେ ପରିମାଣର ରାଜସ୍ୱ ସଂଗ୍ରହ କରା ଯାଇପାରିଛି ।

ସୂଚନା ମୁତାବକ ୨୦୨୩ ମେ’ ମାସ ସୁଦ୍ଧା ଦେଶରେ ପ୍ରାୟ ୭ କୋଟି ୬ ହଜାର ଯାନବାହନ ଫାଷ୍ଟାଗ ଅନ୍ତର୍ଭୁକ୍ତ ହୋଇଛି । ୨୦୧୯ ପରଠାରୁ ଫାଷ୍ଟାଗରେ ଯାନବାହନ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ପାଇଛି । ୨୦୧୯ରେ ଦେଶରେ ମାତ୍ର ୧ କୋଟି ୭୦ ହଜାର ଗାଡ଼ି ଫାଷ୍ଟାଗକୁୁ ଆଦରି ନେଇଥିଲେ । ଚାରିିବର୍ଷ ଭିତରେ ଫାଷ୍ଟାଗରେ ୩୦୦ ଭାଗ ବୃଦ୍ଧି ପାଇଛି ।

ଦେଶରେ ସବୁଠାରୁ ଅଧିକ ଫାଷ୍ଟାଗ ଟୋଲ ମଧ୍ୟପ୍ରଦେଶରେ ରହିଛି । ମଧ୍ୟପ୍ରଦେଶରେ ପ୍ରାୟ ୧୪୩ ଟୋଲ ଫାଟକରେ ଫାଷ୍ଟାଗ ଜରିଆରେ ଶୁଳ୍କ ଆଦାୟ କରାଯାଉଛି । ସାରା ଦେଶରେ ୯୬୪ରୁ ଅଧିକ ଟୋଲ ଫାଟକରେ ଫାଷ୍ଟାଗ ବ୍ୟବସ୍ଥା ରହିଛି । ୟୁପିରେ ଦ୍ୱିତୀୟ ସର୍ବାଧିକ ୧୧୪ ଟୋଲ ଫାଟକ ରହିଛି ।