‘ମୋଦି ମିତ୍ର’ ଥୋପ କରି ମୁସଲିମ ଭୋଟ ସାଉଁଟିବ ବିଜେପି

ବନିଶୀରେ ଜିଆ ଯୋଖି ମାଛ ଧରିବା ଭଳି ବିଜେପି ଏବେ ନିର୍ବାଚନ ବନିଶୀରେ ‘ମୋଦି ମିତ୍ର’ଙ୍କୁ ଯୋଖି ମୁସଲିମ ଭୋଟରଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି । ବିଜେପି ପ୍ରତି ଅନୁରକ୍ତ ମୁସଲିମଙ୍କୁ ‘ମୋଦି ମିତ୍ର’ ଭାବେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି । ସେହିମାନଙ୍କ ଜରିଆରେ ମୁସଲିମ ଭୋଟରଙ୍କ ମନ ଜିତିବା ପାଇଁ ଉଦ୍ୟମ ଚାଲିଛି । ୟୁପି ଦେବବନ୍ଦରେ ବିଜେପିର ଅଳ୍ପସଂଖ୍ୟକ ମହାମେଳି ଆରମ୍ଭ ହୋଇଛି । ଉକ୍ତ ମହାମେଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଶ୍ରଦ୍ଧା ରଖିଥିବା ୧୫୦ ଜଣ ମୁସଲିମ ବୁଦ୍ଧିଜୀବୀଙ୍କୁ ‘ମୋଦି ମିତ୍ର’ ମାନପତ୍ର ପ୍ରଦାନ କରାଯାଇଛି ।

ଦେବବନ୍ଦରେ ମୁସଲିମ ବିଶ୍ୱବିଦ୍ୟାଳୟ ରହିଛି । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ସାଢେ଼ ଲକ୍ଷ ମୋଦି ମିତ୍ର’ଙ୍କୁ ନିଯୁକ୍ତ କରିବ । ୟୁପିର ଦେବବନ୍ଦ ବିଧାନସଭାଟି ସହାରନପୁର ଲୋକସଭା ଆସନ ଅନ୍ତର୍ଭୁକ୍ତ । ଗତ ନିର୍ବାଚନରେ ସହାରନପୁର ଲୋକସଭା ଆସନରେ ବିଜେପିକୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ବିଜେପିର ଅଳ୍ପସଂଖ୍ୟକ ଗୋଠ ୟୁପିର ୬୫ଟି ଲୋକସଭା ଆସନ ପାଇଁ ‘ମୋଦି ମିତ୍ର’ ଯୋଗାଡ଼ କରୁଛି । ଉକ୍ତ ୬୫ଟି ଲୋକସଭା ଆସନରେ ମୁସଲିମ ଭୋଟରଙ୍କ ସଂଖ୍ୟା ପ୍ରାୟ ୩୦ ଭାଗରୁ ଅଧିକ । ବିଜେପି ପ୍ରତି ବିଧାନସଭା କ୍ଷେତ୍ରରେ ପାଂଚ ହଜାର ମୋଦି ମିତ୍ର’ ନିଯୁକ୍ତ କରିବାର ଲକ୍ଷ୍ୟ ରଖିଛି ।

‘ମୋଦି ମିତ୍ର’ ନିଯୁକ୍ତ ଉପରେ ୟୁପିର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହନ୍ତି, ୟୁପିରେ ସମସ୍ତଙ୍କୁ ସାଙ୍ଗରେ ଧରି ବିକାଶ ସିଦ୍ଧାନ୍ତକୁ ପ୍ରାଥମିକତା ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅଧିକରୁ ଅଧିକ ମୁସଲିମ ବିଜେପିରେ ଯୋଗଦାନ କରୁଛନ୍ତି । ଗରିବ କଲ୍ୟାଣ ଯୋଜନାର ଫାଇଦା ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଂଚୁଛି । ରାଜ୍ୟରେ ସମାଜବାଦୀ ପାର୍ଟି ଧ୍ୱଂସ ପ୍ରାୟ ।