ପୁଲିସ ଉପରୁ ତୁଟୁଛି ଲୋକଙ୍କ ଭରସା

ପୀଡ଼ିତାଙ୍କୁ ଥାନାରେ ପିଟି ତିନି ନିଲମ୍ବିତ….

ଭୋପାଳ : ପୁଲିସ ଉପରେ ଆଉ ସାଧାରଣ ଲୋକଙ୍କ ବିଶ୍ୱାସ ନାହିଁ । କଥାଟି ପୁଲିସ ଚାକିରି ପ୍ରତି ଦୁର୍ବଳତା ପ୍ରକାଶ କରୁଥିବା ଲୋକଙ୍କୁ ବାଧୁଥିବ; ମାତ୍ର ବାସ୍ତବ ସତକୁ ସାମ୍ନା କରୁଥିବା ଲୋକ ନିଶ୍ଚୟ ସ୍ୱୀକାର କରିବ । ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଥାନାରେ ଦୁଇଦିନ ଧରି ରଖିବା ସହିତ ପ୍ରବଳ ମାଡ଼ ମାରିବା ପୁଲିସଙ୍କ ପକ୍ଷେ ଉଚିତ ହୋଇଛି କି? ମଧ୍ୟପ୍ରଦେଶର ଛତରପୁର ଇଲାକାରେ ଏଭଳି ଏକ ଘଟଣାରେ ସଂପୃକ୍ତ ଜିଲ୍ଲାର ପୁଲିସ ଅଧୀକ୍ଷକ ଜଣେ ମହିଳା ଅଧିକାରୀଙ୍କ ସମେତ ତିନିଜଣଙ୍କୁ ନିଲମ୍ବିତ କରିଛନ୍ତି । ଘଟଣାର ତଦନ୍ତ ଦାୟିତ୍ୱ ଏସ୍‌ଡିପିଓଙ୍କୁ ନ୍ୟସ୍ତ କରିଛନ୍ତି ।

ସୂଚନା ମୁତାବକ, ଅଗଷ୍ଟ ୨୮ ତାରିଖରେ ଛତରପୁର ଇଲାକାରୁ ଜଣେ ନାବାଳିକା ନିଖୋଜ ଥିଲେ । ଅଭିଯୋଗ ପାଇ ପୁଲିସ ନିଖୋଜ ମାମଲା ରୁଜୁ କରିଥିଲା । ନିଖୋଜ ହେବାର ଦୁଇଦିନ ପରେ ନାବାଳିକାଙ୍କୁ ଅଭିଯୁକ୍ତ ବାବୁ ଖାନଙ୍କ ଘରୁ ଉଦ୍ଧାର କରାଗଲା । ନାବାଳିକାଙ୍କ ବୟାନକୁ ଆଧାର କରି ପୁଲିସ ଦୁଷ୍କର୍ମ ମାମଲା ରୁଜୁ କଲା । ମାତ୍ର ନାବାଳିକାଙ୍କ ବାରମ୍ବାର ଅନୁରୋଧ ସତ୍ୱେ ପୁଲିସ ଅପହରଣ ମାମଲା ରୁଜୁ କଲାନି । ପୀଡ଼ିତାଙ୍କୁ ଦୁଇଦିନ ଧରି ଥାନାରେ ବସାଯିବା ଓ ମହିଳା ଏସ୍‌ଆଇ ମୋହିନୀ ଶର୍ମା ପୀଡ଼ିତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ଆଣି ପୀଡ଼ିତାଙ୍କ ପରିବାର ବାଳ କଲ୍ୟାଣ ସମିତିଠାରୁ ନ୍ୟାୟଭିକ୍ଷା କରିଥିଲେ ।

ସମିତି ଘଟଣାର ପ୍ରତିଟି ଦିଗକୁ ଯାଂଚ କରି କୋତୱାଲି ଥାନା ପ୍ରଭାରୀ ସମେତ ଦୁଇଜଣ ଏସ୍‌ଆଇଙ୍କୁ ଦାୟୀ କରିଛନ୍ତି । ଉପ-ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଅଧୀକ୍ଷକ ସଚିନ ଶର୍ମା ଥାନା ପ୍ରଭାରୀ ଅନୁପ ଯାଦବ, ଏସ୍‌ଆଇ ଗୁରୁଦତ ଶେଷା ଓ ଏସ୍‌ଆଇ ମୋହିନୀ ଶର୍ମାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଏହି ଘଟଣାରେ ଦୋଷୀ କର୍ମଚାରୀଙ୍କୁ ଏକମାତ୍ର ନିଲମ୍ବନ ଯଥେଷ୍ଟ ନୁହେଁ, ଦୋଷୀ ପୁଲିସ କର୍ମଚାରୀଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଜରୁରୀ । ଯାହା ଫଳରେ ଅନ୍ୟ ପୁଲିିସ କର୍ମଚାରୀମାନେ ସାଧାରଣ ଜନତାଙ୍କ ପ୍ରତି ରୁକ୍ଷ ମନୋଭାବ ପୋଷଣ କରିବା ପୂର୍ବରୁ ଶହେଥର ଚିନ୍ତା କରିବେ ।