ଟାଉଟରଙ୍କ ବେକରେ ଘଂଟି ବାନ୍ଧିବ କିଏ?

ଜୀବନ ନେଉଛି ସରକାରଙ୍କ ମାଷ୍ଟର୍‌ ପ୍ଲାନ୍‌……

ଭୁବନେଶ୍ୱର: ଦେଶର ପ୍ରମୁଖ ସହର ପାଇଁ ଗଠିତ ମାଷ୍ଟର୍‌ ପ୍ଲାନ୍‌କୁ ଚିତା କାଟୁଛି ବର୍ଷାପାଣି । ରାସ୍ତା ଉପରୁ ବର୍ଷାପାଣି ନିଷ୍କାସନ ବ୍ୟବସ୍ଥା ଅତି କଦର୍ଯ୍ୟ । ଦକ୍ଷ ବିଶେଷଜ୍ଞଙ୍କ ମଗଜରୁ ଅମଳ ବୁଦ୍ଧିବିଦ୍ୟା ପ୍ରୟୋଗ କରାଯାଇ ଜନବହୁଳ ସହରକୁ ନୂଆ ରୂପ ଦିଆଯାଉଛି । ଅଥଚ କୌଣସି ସ୍ଥାନରେ ବର୍ଷାପାଣି ପାଇଁ ଯୋଜନା ମୁତାବକ ନାଳ ନିର୍ମାଣ କରାଯାଇନି । ତେଣୁ ଭୁବନେଶ୍ୱର ହେଉ କି ବେଙ୍ଗାଲୁରୁ; ଟିକେ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମୁଛି । ପ୍ରବଳ ବର୍ଷା ହେଲେ, କୋଉଠି ରାସ୍ତା ଉପରେ ଅଂଟାଏ ଉଚ୍ଚର ବର୍ଷାପାଣି ଲହଡ଼ି ମାରିଲାଣି ତ କୋଉଠି ବେକ ଯାଏ ।

ଏପରି ବିପର୍ଯ୍ୟୟ ପରିସ୍ଥିତିରେ ବେଙ୍ଗାଲୁରୁରେ ବିଚାରି ୨୩ ବର୍ଷୀୟା ଯୁବତୀ ବିଜୁଳି ସ୍ପର୍ଶରେ ମରିବନି ତ ଆଉ କ’ଣ କରିବ? ବର୍ଷା ହେଉଥିବା ସମୟରେ ସହର ଭିତରେ ପୋତା ଯାଇଥିବା ବିଜୁଳି ଖୁଂଟ ଓ ସେଥିରେ ଲଗା ଯାଇଥିବା ବିଜୁଳି ତାର କେତେ ସୁରକ୍ଷିତ; ତାହା ୨୩ ବର୍ଷୀୟା ଯୁବତୀ ଜୀବନ ବିନିମୟରେ ପ୍ରମାଣ କରିଛନ୍ତି ।ବେଙ୍ଗାଲୁରୁ କଥା ଛାଡ଼ନ୍ତୁ, ପ୍ରବଳ ବର୍ଷା ହେଉଥିବା ସମୟରେ ଭୁବନେଶ୍ୱର ଜୟଦେବ ବିହାର ଛକ ଫ୍ଲାଇଓଭର ଓ ଆଚାର୍ଯ୍ୟ ବିହାର ଫ୍ଲାଇଓଭର ଉପର ଦେଇ ଯାତାୟାତ କରୁଥିବା ବସ୍‌ ଓ ଟ୍ରକ୍‌ ପ୍ରଭାବରେ ବାଇକ୍‌ ଆରୋହୀ ନିୟନ୍ତ୍ରଣ ହରାଇ ପଡୁଥିବାର ଦୃଶ୍ୟ କେବେ ଦେଖିଛନ୍ତି? ପ୍ରବଳ ବର୍ଷା ହେଲେ, ଉକ୍ତ ଦୁଇଟି ସ୍ଥାନରେ ଅଂଟାଏ ଉଚ୍ଚର ପାଣି ଜମିଯାଏ ।

ବସ୍‌ କି ଟ୍ରକ ଯାତାୟାତ ସମୟରେ ଜମି ରହିଥିବା ବର୍ଷାପାଣି ଉଚ୍ଛୁଳି ଉଠେ । ଫଳରେ ସେହି ସମୟରେ ଯାଉଥିବା ବାଇକ୍‌ ଆରୋହୀ ନିୟନ୍ତ୍ରଣ ହରାଇଥାନ୍ତି । କିଛି ବାଇକ୍‌ ଆରୋହୀ ବସ୍‌ ଓ ଟ୍ରକ ମାଡ଼ି ଆସୁଥିବା ଦେଖି ଅଟକି ଯାଆନ୍ତି । ମାତ୍ର ଅଧିକାଂଶ ବାଇକ୍‌ ଆରୋହୀ ବସ୍‌ ଓ ଟ୍ରକକୁ ଅତିକ୍ରମ କରିବାକୁ ଯାଇ ନିୟନ୍ତ୍ରଣ ହରାନ୍ତି । ଜୟଦେବ ବିହାର ଛକଠାରୁ ନନ୍ଦନକାନନ ଆଡ଼କୁ ଯାଇଥିବା ରାସ୍ତାଟିର ଅବସ୍ଥା ମଧ୍ୟ ସେଇଆ । ଦିନେ ରାତି ବାରଟାରେ ସର୍ବସାଧାରଣ ସମ୍ବାଦପତ୍ର କାର୍ଯ୍ୟାଳୟରୁ ଡ୍ୟୁଟି ସାରି ମଂଚେଶ୍ୱରକୁ ଫେରୁଥାଏ । ଅଧଘଂଟା ତଳୁ ପ୍ରବଳ ବର୍ଷା ହୋଇ ଛାଡ଼ି ଯାଇଥାଏ ।

ମାତ୍ର ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ମାରୁଛି । ଦୁଇ/ତିନିଜଣ ବାଇକ ଆରୋହୀ ପାଣି ଭିତରେ ବାଇକ୍‌ ଧରି ଚାଲିଚାଲି ଯାଉଥାନ୍ତି । କ’ଣ ପାଇଁ ଚାଲିଚାଲି ଯାଉଛ ପଚାରିବାରୁ ଜବାବ ମିଳିଲା ‘ଧୂଅାଁନଳୀରେ ପାଣି ପଶିଯାଇଛି’ ।ଏଇ ହେଉଛି ବର୍ଷା ଦାଉରେ କଲବଲ ରାଜଧାନୀ ଭୁବନେଶ୍ୱର ଓ କଟକ ମହାନଗର ଜନତାଙ୍କ ଦୁଃଖ । ସରକାରଙ୍କ ବିପଜ୍ଜନକ ମାଷ୍ଟର୍‌ ପ୍ଲାନ୍‌ ହିଁ ନିରୀହ ଜନତାଙ୍କ ଜୀବନ ନେଉଛି । ଯାବତୀୟ ଅଳିଆ କାମ ପଛରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଂଚ ଟାଉଟର । ହେଲେ ସେମାନଙ୍କ ବେକରେ ଘଂଟି ବାନ୍ଧିବାର ସାହସ କାହା ପାଖରେ ଅଛି?