ଶେଷ ହେଲା ଭାରତ-ଫ୍ରାନ୍ସ ମିଳିତ ସମରାଭ୍ୟାସ


ନୂଆଦିଲ୍ଲୀ : ଶେଷ ହେଲା ଆରବ ସାଗରରେ ଭାରତ-ଫ୍ରାନ୍ସ ମିଳିତ ସମରାଭ୍ୟାସ । ଦୁଇ ପର୍ଯ୍ୟାୟରେ ଏହି ଅଭ୍ୟାସ ଅନୁଷ୍ଠିତ ହେବା ନେଇ ସ୍ଥିର କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେ’ ମାସରେ କରାଯିବ ବୋଲି ଧାର୍ଯ୍ୟ ସ୍ଥିର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗୋଆ ଉପକୂଳରେ ଉଭୟ ନୌସେନା ଏହି ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ । ଆଧୁନିକ ଆଣ୍ଟି-ସବମେରାଇନ ଓ ଏୟାର ଡିଫେନ୍ସ ସିଷ୍ଟମର ବ୍ୟବହାର ମଧ୍ୟ କରାଯାଇଛି । ଉଭୟ ନୌସେନା ମଧ୍ୟରେ ପାରସ୍ପରିକ ଜ୍ଞାନକୌଶଳ ଓ ସମନ୍ୱୟର ଆଦାନପ୍ରଦାନ ଏହି ମିଳିତ ଅଭ୍ୟାସର ଏକ ବଡ ଉଦ୍ଦେଶ୍ୟ ବୋଲି ନୌସେନା କହିଛି ।

ଏହି ସମରାଭ୍ୟାସରେ ଭାରତୀୟ ନୌସେନାର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇ ସମେତ ଏମକେ-୪୨ବି ହେଲିକାପ୍ଟର, ମିଗ୍‌-୨୯ ଲଢୁଆ ବିମାନ ଓ ପାଟ୍ରୋଲିଂ ଏୟାରକ୍ରାଫ୍ଟକୁ ସାମିଲ କରାଯାଇଥିଲା । ସେହିପରି ଫ୍ରାନ୍ସ ନୌସେନା ପକ୍ଷରୁ ଫ୍ରିଗ୍ରେଟ ଲଢୁଆ ଯୁଦ୍ଧ ବିମାନ, ସବମେରାଇନ ସପୋର୍ଟ ଭାସେଲ ଓ ଅତ୍ୟାଧୁନିକ ଲଢୁଆ ବିମାନ ମଧ୍ୟ ସାମିଲ ହୋଇଥିଲେ । ବର୍ତ୍ତମାନ ସମୟରେ ସୃଷ୍ଟି ହୋଇଥିବା ନୂତନ ସାମୁଦ୍ରିକ ସୁରକ୍ଷା ପ୍ରସଙ୍ଗ ଓ ଅତ୍ୟାଧୁନିକ ଭାବେ ମୁକାବିଲା କରିବା ପାଇଁ ଦୁଇପକ୍ଷ ମଧ୍ୟରେ ଉତ୍ତମ ସମନ୍ୱୟ ଓ ରଣନୀତିକ ଭାଗିଦାରୀ ଏହି ମିଳିତ ଅଭ୍ୟାସର ମୂଳ ଉଦ୍ଦେଶ୍ୟ ବୋଲି ନୌସେନା କହିଛି । ସେହିପରି ସୋମବାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ଆସନ୍ତା ମେ’ ମାସରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ସମରାଭ୍ୟାସ ଅନୁଷ୍ଠିତ ହେବ ।