ସ୍କୁଲ ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ନୂଆ ଏସଓପି

ନୂଆଦିଲ୍ଲୀ : ଦେଶରେ ସ୍କୁଲକଲେଜ ତଥା ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଛି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ମାର୍ଗଦର୍ଶିକା ମାନି ସ୍କୁଲକଲେଜ ଖୋଲିବା ନେଇ ନିଷ୍ପତ୍ତି ନେଇ ପାରିବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଏସଓପିରେ ଦର୍ଶାଯାଇଛି ଯେ କୋଭିଡ ଗାଇଡଲାଇନ ମାନି ସମସ୍ତ ଶିକ୍ଷାନୁଷ୍ଠାନ ଖୋଲାଯାଇପାରିବ । ସ୍କୁଲ ଖୋଲିବା ପୂର୍ବରୁ ସଫେଇ ଓ ସାନିଟାଇଜେସନର ବ୍ୟବସ୍ଥା ହେବ । ସିଟିଂ ଆରଜେମେଣ୍ଟ ବେଳେ ପିଲାଙ୍କ ମଧ୍ୟରେ ୬ ଫୁଟ ଦୂରତା ରହିବ । ଷ୍ଟାଫ ରୁମ, ଅଫିସ ଅଞ୍ଚଳ, ପ୍ରାର୍ଥନା ଗୃହ ଓ ଅନ୍ୟ ସ୍ଥାନଗୁଡିକରେ ସବୁବେଳେ ସାମାଜିକ ଦୂରତା ନିୟମ ପାଳନ କରାଯିବ ।

ସେହିପରି ସ୍କୁଲରେ କ୍ରୀଡ଼ା ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରାଜ୍ୟ ସ୍ଥିର କରିବ । ଟିକାକରଣ ସହ କୋଭିଡ ମାର୍ଗଦର୍ଶିକା ମାନି ସ୍କୁଲକଲେଜ ତଥା ଶିକ୍ଷାନୁଷ୍ଠାନ ଖୋଲାଯାଇପାରିବ । ପରପକ୍ଷରେ ନୂଆ ଗାଇଡ ଲାଇନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସ୍କୁଲ-କଲେଜକୁ ଆସିବାକୁ ଥିବା ବହୁବିଧ ରୋଗାକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡ଼ା କି ନାହିଁ ତାହା ରାଜ୍ୟ ସ୍ଥିର କରିବ । କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ସ୍କୁଲ ବସ ଡ୍ରାଇଭରଙ୍କୁ ସ୍କୁଲ ଆସିବା ପାଇଁ ବାରଣ କରାଯିବ । ଦେଶରେ ଏବେ ୧୧ଟି ରାଜ୍ୟରେ ପୂର୍ଣ୍ଣ କ୍ଷମତାରେ ସ୍କୁଲ ଖୋଲିଥିବା ବେଳେ ୧୬ଟି ରାଜ୍ୟରେ କେବଳ ବଡ଼ କ୍ଲାସ ପିଲାଙ୍କ ପାଇଁ ସ୍କୁଲ ଖୋଲାଯାଇଛି ।