କରୋନାର ନୂଆ ଭାରିଏଣ୍ଟ ଅଧିକ ଘାତକ ହୋଇପାରେ – ହୁ

ନୂଆ ଭାରିଏଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେଇପାରେ

ୱାଶିଂଟନ: ଓମିକ୍ରନ ଭାରିଏଣ୍ଟ ଦୁର୍ବଳ ହେଉଥିବାରୁ ସାରା ବିଶ୍ୱରେ ଏବେ ଜୀବନ ଯାତ୍ରା ଧୀରେଧୀରେ ସ୍ୱାଭାବିକ ହେଉଛି। କରୋନା ମହାମାରୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ନୂଆ ଚେତାବନୀ ଦେଇଛି । ହେଲେ ଭବିଷ୍ୟତରେ ବିପଦ ଆସିପାରେ ବୋଲି ହୁ’ ପକ୍ଷରୁ ଆଶଙ୍କା କରାଯାଇଛି।

କୋଭିଡ-୧୯ର ନୂଆ ଭାରିଏଣ୍ଟ ଅଧିକ ସଂକ୍ରାମକ ହେବ। ସେହିପରି ପୂର୍ବ ଭାରିଏଣ୍ଟ ଓମିକ୍ରନ ତୁଳନାରେ ଏହା ଅତ୍ୟନ୍ତ ଘାତକ ରୂପ ନେଇପାରେ ବୋଲି ହୁ’ ପକ୍ଷରୁ ସତର୍କ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଂକ୍ରାମକ ବିଶେଷଜ୍ଞ ଓ କୋଭିଡ-୧୯ର ବୈଷୟିକ ଟିମ୍‌ ମୁଖ୍ୟ ଡା ମାରିଆ ଭାନ କେରକୋଭେ କହିଛନ୍ତି ଯେ ମହାମାରୀର ଅନ୍ତ ହେବାକୁ ଆହୁରି ସମୟ ବାକି ରହିଛି। ନୂଆ ଭାରିଏଣ୍ଟ ବର୍ତ୍ତମାନ ସକ୍ରିୟ ଥିବା ଓମିକ୍ରନ ଠାରୁ ଅଧିକ ଘାତକ ହେବାର ଯଥେଷ୍ଟ ଆଶଙ୍କା ରହିଛି। ନୂଆ ଭାରିଏଣ୍ଟ ଅଧିକାରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିବ। କିନ୍ତୁ ନୂଆ ଭାରିଏଣ୍ଟ କେତେ ଘାତକ ହେବ ତାହା ବର୍ତ୍ତମାନ ବଡ଼ ପ୍ରଶ୍ନ। ଯାହା ଆକଳନ କରାଯାଉଛି ନୂଆ ଭାରିଏଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେଇପାରେ। ଓମିକ୍ରନ ଭଳି ଟିକାର ପ୍ରଭାବ ନୂଆ ଭାରିଏଣ୍ଟ ଆଗରେ କିଛିଟା ଫିକା ପଡ଼ିପାରେ। ତେଣୁ ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ। ଏଥିପ୍ରତି ଆମକୁ ସତର୍କ ରହିବାକୁ ହେବ।