ପଲକ ଭିତରେ କୂଅକୁ ଖସିଗଲା ବାଳୁତ

୫ ମିନିଟ୍‌ରେ ଉଦ୍ଧାର କଲେ ଘର ମାଲିକ…

ଭୋପାଳ: ଆଖି ପଲକ ମାତ୍ରକେ ୨୮ ଫୁଟ ଭିତରକୁ ଗଳିପଡ଼ିଲା ୭ ବର୍ଷର ବାଳୁତ । ଭାଗ୍ୟ ଭଲ, ନିକଟରେ ଠିଆ ହୋଇଥିବା ଆଉ ଗୋଟିଏ ବାଳୁତର ଉପସ୍ଥିତ ବୁଦ୍ଧି କାରଣରୁ କୂଅ ଭିତରୁ ପିଲାଟିକୁ ଉଦ୍ଧାର କରାଯାଇଛି । ପିଲାଟି କୂଅ ଭିତରକୁ ଖସିବା ଦେଖି ଅନତି ଦୂରରେ ଠିଆ ହୋଇଥିବା ପିଲାଟି ବଡ଼ପାଟିରେ ଡାକ ପକାଇଲା । ତା’ ଡାକ ଶୁଣି ପରିବାରର ଅନ୍ୟ ଲୋକମାନେ କୂଅ ନିକଟକୁ ଧାଇଁଗଲେ । ଘର ମାଲିକ ପବନ ଜୈନ ଚଟାପଟ ତାଙ୍କ ଜୀବନକୁ ବାଜି ଲଗାଇ ପିଲାଟିକୁ କୂଅ ଭିତରୁ ଉଦ୍ଧାର କଲେ ।

ସୂଚନା ମୁତାବକ ଅର୍ଣ୍ଣବ ଓ ସଂଯମ ଜୈନ କୂଅ ନିକଟରେ ଖେଳୁଥିଲେ । ହଠାତ୍‌ ଅର୍ଣ୍ଣବର ଗୋଡ଼ କୂଅ ଉପରେ ବିଛା ଯାଇଥିବା ଜାଲି ଉପରେ ପଡ଼ିଗଲା । ସେ କୂଅ ଭିତରେ ପଡ଼ିଗଲା । ଅନ୍ୟ ପିଲାଟି ବଡ଼ପାଟିରେ ଡାକ ପକାଇଲା । ଫଳରେ ଅର୍ଣ୍ଣବକୁ ୫ ମିନିଟ୍‌ ଭିତରେ ଜୀବିତ ଉଦ୍ଧାର କରିବା ସମ୍ଭବ ହୋଇଛି ।

ସାମାନ୍ୟ ବିଳମ୍ବ କରିଥିଲେ ପିଲାଟିକୁ ବଂଚାଇବା ସମ୍ଭବ ହୋଇ ନଥାନ୍ତା । କୂଅ ଭିତରେ ଥିବା ପାଇପକୁ ଧରିବା ପାଇଁ ଅର୍ଣ୍ଣବକୁ କୁହାଗଲା । ତା’ପରେ କୂଅ ଭିତରକୁ ଦଉଡ଼ି ପକାଇ ଦିଆଗଲା । ନିଜେ ପବନ କୂଅ ଭିତରକୁ ଯାଇ ଦଉଡି ସାହାଯ୍ୟରେ ପିଲାଟିକୁ ଉଦ୍ଧାର କଲେ । ଅର୍ଣ୍ଣବ ସଂପୂର୍ଣ୍ଣ ସୁସ୍ଥ ଅଛି । ଅର୍ଣ୍ଣବକୁ ପଚାରିବାରୁ କହିଲା ଯେ ସେ ନିୟମିତ କୂଅ ପାଖରେ ନାଚକୁଦ କରିଥାଏ । କୂଅ ଉପରେ ପଡ଼ିଥିବା ତାରଜାଲି ହଠାତ୍‌ ଭାଙ୍ଗିଯିବ ବୋଲି ତାକୁ ଜଣା ନଥିଲା ।