ଜାମ୍ମୁ-କଶ୍ମୀରରେ ବିକାଶ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି : କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ପୂର୍ବୋତ୍ତର, ଜାମ୍ମୁ କଶ୍ମୀର ଓ ମାଓ ପ୍ରଭାବିତ ଅଞ୍ଚଳରେ ଆଗାମୀ ଦିନରେ ସ୍ଥାୟୀ ଶାନ୍ତି ଆସିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ଜାମ୍ମୁରେ ୮୩ତମ ସିଆରପିଏଫ ଦିବସ ପରେଡକୁ ସମ୍ବୋଧିତ କରି ଶାହ କହିଛନ୍ତି ଯେ, ୨୦୧୪ ପରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳୁଛନ୍ତି । ଏହା ପରଠାରୁ ଜାମ୍ମୁ-କଶ୍ମୀରରେ ବିକାଶ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହେବା ସହ ଗଣତନ୍ତ୍ରକୁ ତୃଣମୂଳ ସ୍ତରରେ ପହଞ୍ଚାଯାଇଛି । ଏଠାକାର ପ୍ରତ୍ୟେକ ଗାଁରେ ୱାର୍ଡମେମ୍ବର ଓ ସରପଞ୍ଚ ଚୟନ କରାଯାଇଛି । ଗାଁର ବିକାଶ ପାଇଁ ସେମାନଙ୍କୁ ଅଧିକାର ଦିଆଯାଇଛି ।

ସେହିପରି ଶାହ କହିଛନ୍ତି ଯେ ଜାମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ମହିଳା ଓ ଆଦିବାସୀ ଭଳି ଅନୁନ୍ନତ ଶ୍ରେଣୀରେ ବସବାସ କରୁଥିବା ଲୋକଙ୍କ ସୁରକ୍ଷା ଓ ବିକାଶ ହେବା ସହ ଚିକିତ୍ସା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିଛି । ସେହିପରି ରାଜ୍ୟରେ ୭ଟି ମେଡିକାଲ କଲେଜ ଓ ଦୁଇଟି ଏମ୍ସ ପ୍ରତିଷ୍ଠା କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ଯେ ଦେଶରେ ଯେକୌଣସି ସ୍ଥାନରେ ଦଙ୍ଗା ଅଥବା ହିଂସା ହେଲେ ସେଠାରେ ସିଆରପିଏଫକୁ ମୁତୟନ କରାଯାଉଛି ।