କଫ ସିରପ ପିଇ ୩ ଶିଶୁଙ୍କ ମୃତ୍ୟୁ ସହ ୧୩ ଗୁରୁତର

ନୂଆଦିଲ୍ଲୀ: କଫ ସିରପ ପିଇ ୩ ଜଣ ଶିଶୁ ମୃତ୍ୟୁବରଣ କରିବା ସହ ୧୩ ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ଦିଲ୍ଲୀ ସରକାର ଗଠନ କରିଥିବା ମୋହଲା କ୍ଲିନିକରେ ଅଘଟଣ ଘଟିଛି । ମୋହଲା କ୍ଲିନିକରେ କଫ ସିରପ ଖାଇବା ପରେ ୧୬ ଜଣଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କୁ ଦିଲ୍ଲୀର ମୋହଲା କ୍ଲିନକ ପକ୍ଷରୁ ଡେକ୍ସଟ୍ରୋମେଥ୍‌ରୋଫାନ ବା ଏକ ପ୍ରକାରର ସିରପ ଖାଇବାକୁ କୁହାଯାଇଥିଲା । କିନ୍ତୁ ଛୋଟ ପିଲାଙ୍କୁ ଏ ପ୍ରକାରର ସିରପ ନ ଦେବାକୁ କଡାକଡି ଭାବେ ମନା କରାଯାଇଛି । ତଥାପି ଦିଲ୍ଲୀ ସରକାରଙ୍କ ମୋହଲା କ୍ଲିନିକ ପକ୍ଷରୁ ପିଲାମାନଙ୍କୁ ଡେକ୍ସଟ୍ରୋମେଥ୍‌ରୋଫାନ କଫ ସିରପ ଦିଆଯାଇଥିଲା । ଘଟଣା ପରେ ଡିରେକ୍ଟୋରେଟ ଅଫ ହେଲ୍ଥ ସର୍ଭିସ ଦିଲ୍ଲୀ ସରକାରଙ୍କୁ ଚିଠି ଲେଖିଛନ୍ତି । ଏଥିରେ ୪ ବର୍ଷରୁ କମ ବୟସ୍କ ଶିଶୁଙ୍କୁ ଡେକ୍ସଟ୍ରୋମେଥ୍‌ରୋଫାନ ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଛି । ଏକଥା ସରକାର ଦିଲ୍ଲୀରେ ଥିବା ସମସ୍ତ କ୍ଲିନିକ ଓ ଅନ୍ୟ ଛୋଟ ହସ୍ପିଟାଲକୁ ଅବଗତ କରାନ୍ତୁ ବୋଲି ଡିରେକ୍ଟୋରେଟ ଅଫ ହେଲ୍ଥ ସର୍ଭିସ କହିଛି ।

ଏମ୍ସ ପାଟନାର ଡାକ୍ତର ଚନ୍ଦ୍ର ମୋହନ କହିଛନ୍ତି, ୫ ବର୍ଷରୁ କମ ବୟସ୍କଙ୍କୁ ଏହି ଔଷଧ ନ ଦେବାକୁ କୁହାଯାଇଛି । ତଥାପି ଏହାର ବ୍ୟବହାର ହେଉଛି । ଏହାକୁ ଛୋଟ ପିଲା ଖାଇଲେ ଅନେକ ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇଥାଏ । ହେଲେ ଜୀବନ ଯିବାର ନଜିର କେବେ ନଥିଲା । କିନ୍ତୁ ଓଭର ଡୋଜ ହେତୁ ଛୋଟ ପିଲାଙ୍କ ଜୀବନ ଯାଇଥାଏପାରେ ବୋଲି ସେ ଆଶଙ୍କା କରିଛନ୍ତି ।