ପ୍ରଶ୍ନ ପାଇଁ ଲାଂଚ: ଟିଏମସି ନେତ୍ରୀ ମହୁଆ ହରାଇଲେ ସାଂସଦ ପଦବୀ

TMC leader

ନୂଆଦିଲ୍ଲୀ: ‘ପ୍ରଶ୍ନ ପାଇଁ ଲାଂଚ’ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ତାଙ୍କର ସଭ୍ୟପଦ ହରାଇଛନ୍ତି । ଲୋକସଭା ଏଥିକ୍ସ କମିଟି ସୁପାରିଶ ମୁତାବକ ତାଙ୍କ ବିରୋଧରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ମହୁଆଙ୍କୁ ଲୋକସଭାରୁ ବାହାର କରିବା ପାଇଁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ବୟକଟ୍‌ କରିଥିଲେ । ଭୋଟିଂ ପରେ ବାଚସ୍ପତି ମହୁଆଙ୍କ ବିପକ୍ଷରେ ନିଷ୍କାସନ ପ୍ରସ୍ତାବ ଗୃହୀତ କଲେ । ତା’ପରେ ପରେ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଅଧିବେଶନକୁ ସ୍ଥଗିତ କରାଗଲା ।

ସଭ୍ୟପଦ ହରାଇବା ପରେ ମହୁଆ କହିଛନ୍ତି, ମୋତେ ଝୁକାଇବା ପାଇଁ ଏଥିକ୍ସ କମିଟି ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇଛି । ପ୍ରଥମରୁ ମହୁଆଙ୍କୁ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରିବା ପାଇଁ ବାଚସ୍ପତି ଓମ୍‌ ବିର୍ଲା ଅନୁମତି ଦେଇ ନଥିଲେ ।

ବାଚସ୍ପତି କହିଥିଲେ ଯେ ତାଙ୍କୁ ଯାହା କିଛି କହିବାର ଥିଲା; କମିଟି ଆଗରେ କହି ପାରିଥାନ୍ତେ । ଏବେ ତାଙ୍କର ସ୍ପଷ୍ଟୀକରଣ ଅନାବଶ୍ୟକ । ତାଙ୍କୁ ଜେଲ ପଠାଇବା ପାଇଁ ଉଦ୍ୟମ ଚାଲିଛି ବୋଲି ମହୁଆ ଅଭିଯୋଗ କରିଛନ୍ତି ।