ଟିଏମସିର ପ୍ରତିଶ୍ରୁତ: କ୍ଷମତାକୁ ଆସିଲେ ମହିଳାଙ୍କୁ ମାସିକ ୫ ହଜାର ଟଙ୍କା

ପାଣାଜି : ଜାତୀୟ ରାଜନୀତିରେ ନିଜର ଉପସ୍ଥିତି ଜାହିର କରିବାକୁ ଅଣ୍ଟା ଭିଡିଛି ଟିଏମସି । ଗୋଆ ବିଧାନସଭା ନିର୍ବାଚନ ଲଢିବାକୁ ପ୍ରସ୍ତୁତି ଚଳାଇଛି ଟିଏମସି । ଟିଏମସି ଗୋଆରେ ମହିଳାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଯିବା ଯୋଜନା କରାଯିବା ବୋଲି ପ୍ରତିଶ୍ରୁତି ଦେଇଛି । ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ବିଧାନସଭା ନିର୍ବାଚନ ପରେ ଯଦି ପାର୍ଟି କ୍ଷମତାକୁ ଆସେ ତେବେ ଏହି ଯୋଜନା ଲାଗୁ କରାଯିବ ।

ଏହାରି ଆଧାରରେ ମହିଳାଙ୍କୁ ୫ ହଜାର ଟଙ୍କା ଦିଆଯିବ । ତୃଣମୂଳ ନେତା କହିଛନ୍ତି, ପ୍ରତ୍ୟେକ ଘରର ଜଣେ ମହିଳାଙ୍କୁ ପ୍ରତି ମାସରେ ୫ ହଜାର ଟଙ୍କା ଆକାଉଣ୍ଟରେ ଜମା ହେବ । ଗୋଆର ସମସ୍ତ ୪୦ ବିଧାନସଭା ଆସନରେ ଦଳ ନିର୍ବାଚନ ଲଢିବାକୁ ଘୋଷଣା କରିଛି । ଏହି ଯୋଜନାରେ ରାଜ୍ୟର ସାଢେ ତିନି ଲକ୍ଷ ମହିଳାଙ୍କୁ ସାମିଲ୍‌ କରାଯିବ । ଏହା ପୂର୍ବରୁ ଆମ୍‌ ଆଦମୀ ପାର୍ଟି ଗୋଆରେ କ୍ଷମତାକୁ ଆସିଲେ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଦେବ ବୋଲି ଘୋଷଣା କରିଛି । ଅନ୍ୟପଟେ କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ରାଜ୍ୟରେ ଚାକିରି କ୍ଷେତ୍ରରେ ମହିଳାଙ୍କୁ ୩୦ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି ଘୋଷଣା କରିଛନ୍ତି ।