ଫେବ୍ରୁଆରି ୨୧ରୁ ପର୍ଯ୍ୟଟକଙ୍କୁ ଅଷ୍ଟ୍ରେଲିଆ ଆସିବାକୁ ଅନୁମତି

ସିଡ୍‌ନି: ସମ୍ପୂର୍ଣ୍ଣ ଟିକା ନେଇଥିବା ପର୍ଯ୍ୟଟକଙ୍କୁ ‌ଫେବ୍ରୁଆରି ୨୧ ତାରିଖ ଠାରୁ ଅଷ୍ଟ୍ରେଲିଆକୁ ଆସିବା ପାଇଁ ଅନୁମତି ଦିଆଯିବ ବୋଲି ଆଜି ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ଘୋଷଣା କରିଛନ୍ତି। ଜାତୀୟ ନିରାପତ୍ତା କ୍ୟାବିନେଟ୍‌ ବୈଠକ ପରେ ମୋରିସନ୍‌ କହିଛନ୍ତି, ଅଷ୍ଟ୍ରେଲିଆ ସୀମାନ୍ତ ବନ୍ଦ କରିବା ପାଇଁ ଆମେ ନିଷ୍ପତ୍ତି ଗ୍ରହଣ କରିବା ପ୍ରାୟ ଦୁଇବର୍ଷ ହୋଇଗଲାଣି। ଆପଣ ଯଦି ଡବଲ୍‌ ଟିକା ନେଇଥିବେ, ଆମେ ଆପଣଙ୍କୁ ଅଷ୍ଟ୍ରେଲିଆ ଆସିବାକୁ ଆମନ୍ତ୍ରଣ କରୁଛୁ।

୨୦୨୦ ମାର୍ଚ ୨୦ରେ ଅଷ୍ଟ୍ରେଲିଆର ସୀମାନ୍ତ ସବୁ ବନ୍ଦ କରି ଦିଆଯାଇଥିଲା। ସେବେଠାରୁ ଅଷ୍ଟ୍ରେଲୀୟମାନଙ୍କୁ ଦେଶ ବାହାରକୁ ଯିବାକୁ ଅନୁମତି ମିଳୁ ନ ଥିଲା ଏବଂ ଅଷ୍ଟ୍ରେଲିଆ ଆସିବାକୁ ଅତି ସ୍ବଳ୍ପସଂଖ୍ୟକ ବିଦେଶୀଙ୍କୁ ଅନୁମତି ମିଳୁଥିଲା। ଏହି କଠୋର କଟକଣା ଯୋଗୁଁ ଅଷ୍ଟ୍ରେଲିଆର ବହୁ ପରିବାର ଭାଗ ଭାଗ ହୋଇଯିବା ସହ ଦେଶର ବୃହତ୍‌ ପର୍ଯ୍ୟଟନ ଶିଳ୍ପକୁ ବିପର୍ଯ୍ୟସ୍ତ କରି ପକାଇଛି। ଏଥିଯୋଗୁ ଗୋଟାଏ ଆଧୁନିକ, ମୁକ୍ତ ଏବଂ ଉଦାର ଦେଶ ଭାବେ ଅଷ୍ଟ୍ରେଲିଆର ଯେଉଁ ଖ୍ୟାତି ଥିଲା, ତାହା ମଧ୍ୟ କେତେକାଂଶରେ କ୍ଷୁଣ୍ଣ ହୋଇଛି। ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ଜାରି ହୋଇଥିବା ‘କୋଭିଡ୍-ଜିରୋ’ ନୀତି ପରିହାର କରାଯିବା ଏବଂ ‘ଓମିକ୍ରନ୍‌’ ସଂକ୍ରମଣ ମାମଲା ଯୋଗୁଁ ‘ଟ୍ରାକ୍‌-ଆଣ୍ଡ୍‌-ଟ୍ରେସ୍‌’ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବାରୁ ଅଷ୍ଟ୍ରେଲିଆ ପର୍ଯ୍ୟଟକମାନଙ୍କ ପାଇଁ ତା’ର ସୀମାନ୍ତ ଉନ୍ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।