ମିଡିଆକୁ ଗାଳି

ତୁନିଶାଙ୍କ ଆତ୍ମହତ୍ୟା ମାମଲା..

ନୂଆଦିଲ୍ଲୀ: ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା କ୍ରମେ ଅଭିନେତା ଶିଜାନ ଖାନଙ୍କ ପାଇଁ ଅଡୁଆ ସୃଷ୍ଟି କଲାଣି । କୋର୍ଟ ଶିଜାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଇତିମଧ୍ୟରେ ଶିଜାନଙ୍କୁ କେନ୍ଦ୍ର କରି ନାନା ଖବର ପ୍ରକାଶ ପାଇଛି । ତୁନିଶାଙ୍କ ମା’ ଶିଜାନଙ୍କ ପରିବାରକୁ ମୁଖ୍ୟତଃ ଦାୟୀ କରିଛନ୍ତି । ଶୁଣିବାକୁ ମିଳୁଛି, ଶିଜାନ ତୁନିଶାଙ୍କୁ ଚାପୁଡ଼ା ମାରିଥିଲେ । ତାଙ୍କୁ ଊର୍ଦ୍ଦୁ ପଢ଼ିବା ଓ ହିଜାବ ପିନ୍ଧିବାକୁ ବାଧ୍ୟ କରୁଥିଲେ ।

ଭାଇଙ୍କ ବଦନାମ ଦେଖି ଦୁଇ ଭଉଣୀ ଚିନ୍ତା ପ୍ରକଟ କରିଛନ୍ତି । ଶିଜାନଙ୍କର ଦୁଇ ଭଉଣୀ ଫଲକ ଓ ଶଫକ ଏକ ବୟାନ ଜାରି କରିଛନ୍ତି । ସେଥିରେ ଲେଖିଛନ୍ତି, ଏସବୁ ଦେଖି ଆମ ମନ ଭାଙ୍ଗିଯାଉଛି । ଆମ ନିରବତାକୁ ସମସ୍ତେ ଦୁର୍ବଳତା ମନେ କରୁଛନ୍ତି । ବୋଧହୁଏ ଏଇଟା ହିଁ କଳିଯୁଗ । ସାମ୍ବାଦିକତା ଏତେ ତଳକୁ ଚାଲିଯାଇଛି । କିଛି ମିଡିଆ ପୋର୍ଟାଲ ସାଧାରଣ ଜ୍ଞାନ ହରାଇଛନ୍ତି ।

ଧର୍ମ ପ୍ରତି ଘୃଣା କାରଣରୁ ଏପରି ମନଗଢ଼ା ଖବର ପ୍ରସାରଣ କରୁଛନ୍ତି । ଶସ୍ତା ଲୋକପ୍ରିୟତା ପାଇଁ ଏତେ ତଳକୁ ଚାଲି ଯାଉଛନ୍ତି । ବାସ୍ତବିକ ପରିସ୍ଥିତିକୁ ବୁଝିବା ପାଇଁ କେହି ପ୍ରସ୍ତୁତ ନୁହନ୍ତି । ଯାହା ମନକୁ ଆସୁଛି, ଲେଖି ଚାଲିଛନ୍ତି । ଭଗବାନ ତୁନିଶାଙ୍କର ମଙ୍ଗଳ କରନ୍ତୁ । ତାଙ୍କୁ ଈଶ୍ୱରଙ୍କ ନିକଟରେ ସ୍ଥାନ ମିଳୁ ।