୨୦୨୩ରେ ନବୀନବାବୁଙ୍କ ଅସଲ ରୂପ ଦେଖିବ ଓଡିଶା

୨୦୨୧ ଓ ୨୦୧୨କୁ ମହାମାରୀ କରୋନା ଫିକା….

ବିଦାୟ ନେଇଛି ୨୦୨୨ । ଆସିଲା ୨୦୧୩ । ସବୁଠି ଖୁସିର ମାହୋଲ । ୨୦୨୧ ଓ ୨୦୧୨କୁ ମହାମାରୀ କରୋନା ଫିକା କରିଥିଲା ମାତ୍ର ଏଥର କରୋନା ବିଜଡିତ ନୂଆବର୍ଷ ପାଳିତ ହୋଇଛି । ଏପରି କହିବାର ଅର୍ଥ ବିଗତ ଦୁଇ ବର୍ଷ ଆମେ କରୋନାକୁ ଭୟ କରି ନୂଆବର୍ଷ ପାଳନ କରି ନଥିଲେ, କିନ୍ତୁ ଏଥର ଆମେ କରୋନାକୁ ଭ୍ରୁକ୍ଷେପ କରୁନୁ । କରୋନା ଯାହା କରୁଛି କରୁ, ନୂଆବର୍ଷ ପାଳନକୁ କେହି ଅଟକାଇ ପାରିବେନି । କରୋନା ମହାପ୍ରଳୟକୁ ସାମ୍ନା କରିବା ପରେ ଆମେ ଏପରି ସାହସ ଦେଖାଇଛୁ । ଆମେ ଜାଣିଲୁ କରୋନା ଆଉ ଲୋପ ପାଇବାର ନାହିଁ, କରୋନା ଏବେ ନୂଆ ନୂଆ ରୂପ ଧରି ଆମକୁ ଘାଣ୍ଟିବ; ଆମକୁ କରୋନା ସହ ଲଢ଼ି ଲଢ଼ି ବଂଚିବାକୁ ହେବ; ଅତଏବ ନୂଆ ବର୍ଷ ପାଳନ କରିବୁ, ଯାହା ପରିଣାମ ଭୋଗିବାର ଅଛି ଭୋଗିବୁ I ଡରି ଡରି ବଂଚିବୁ କଣ ପାଇଁ ? ଏବେ ଆସନ୍ତୁ ନୂଆ ବର୍ଷ କେମିତି କାଟିବା ଟିକେ ଆଲୋଚନା କରିବା ।

କିଛି ଗଣମାଧ୍ୟମ ମାଳିକା ବଚନ ବାଖ୍ୟା କରି ୨୦୨୩କୁ ମହାବିନାଶର ବର୍ଷ ଦର୍ଶାଇ ଲେଖିଛନ୍ତି, ବଢିଯିବ ସୂର୍ଯ୍ୟଙ୍କ ତାପ । ବିଲ ଫାଟି ଆଁ କରିବ । ମରୁଡି ଦେଖାଦେବ । ମହାପ୍ରଳୟକୁ ସାମ୍ନା କରିବ ସାରା ବିଶ୍ୱ । ଆରେ ବାବୁ ଏଥିରେ ନୂଆ କଣ ଅଛି? ଯେସାକୁ ତେସା। ବଣଜଙ୍ଗଲରୁ ଗଛ କାଟୁଛ, ଜମିରେ ରାସାୟନିକ ସାର ପ୍ରୟୋଗ କରୁଛ, ଗାଡିମଟର ଚଳାଉଛ, ବିକାଶ ପାଇଁ କଳକାରଖାନା ପ୍ରତିଷ୍ଠା କରି ତାର ବିଷାକ୍ତ ଅଳିଆ ନଦୀକୁ ଛାଡ଼ୁଛ, ପରିଣାମ କିଏ ଭୋଗିବ, ନିଜେ ନିଜକୁ ମାରିବା ପାଇଁ ସବୁ ବାଟ କରି ମାଳିକା ଦୋଷ ଦଉଚ ।

୧୯୯୯ ମସିହାରୁ ମହାପ୍ରଳୟ ଆରମ୍ଭ ହୋଇସାରିଛି । ୨୦୨୩ରୁ ୨୦୨୯ ପର୍ଯ୍ୟନ୍ତ ଚାଲିବ ମହାବିନାଶ । ୨୦୨୩ରେ ସମଗ୍ର ବିଶ୍ୱରେ ହେବ ତାଣ୍ଡବ । ଆଉ ଯାହା ଭୟଙ୍କର ହେବ । ମଣିଷ ପ୍ରକୃତିକୁ ଅସହ୍ୟ କଷ୍ଟ ଓ ଯନ୍ତ୍ରଣା ଦେଇଛି । ଯାହାକୁ ପ୍ରକୃତି ଆଉ ସହିପାରୁନାହିଁ, ଫଳରେ ସେ ଏଥର ତାର ଉଗ୍ରରୂପ ଧାରଣ କରୁଛି । ମଣିଷ ନିଜ ଦୋଷକୁ ମାନିବାକୁ ନାରାଜ, ପ୍ରକୃତିକୁ ଦାୟୀ କରି ଖସିଯିବା ମଣିଷର ସ୍ୱଭାବ ।

ନବୀନ ପଟନାୟକ କ୍ଷମତାକୁ ଆସିବା ପରଠାରୁ ଓଡିଶାରେ ଯାବତୀୟ ଅପକର୍ମ ଚାଲିଛି, କଂଗ୍ରେସ ତୁଳନାରେ ବିଜେଡି ଅମଳରେ କାମଚୋରଙ୍କ ସଂଖ୍ୟା ବଢିଛି, ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ବଢିଛି, ଠକ, ଟାଉଟର, ଡକାୟତ, ନିଶାବେପାରୀଙ୍କ ସଂଖ୍ୟା ବଢିଛି, ଦୁର୍ନୀତିର ଜାତୀୟକରଣ ହୋଇଛି, ଗୋଦର କୋଡେ ଯେତେ ମାଡ଼େ ସେତେ ନୀତିକୁ ନବୀନବାବୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି, ଯାହାର ପରିଣାମ ଭୟଙ୍କର ହେବ I ଓଡିଶାକୁ ଧ୍ବଂସମୁଖରେ ପକାଇବା ପାଇଁ ନବୀନବାବୁ ରଣନୀତି ପ୍ରସ୍ତୁତ କରି ସାରିଛନ୍ତି I ବିଜେଡି ସହିତ ଜଡିତ କିଛି ଗଣମାଧ୍ୟମ ନବୀନବାବୁଙ୍କ ରଣନୀତିକୁ ମାଳିକା ବଚନ କହି ବାହାଦୁରି ନେବାକୁ ବସିଛନ୍ତି I ବିଶେଷ କରି ସରକାରଙ୍କଠାରୁ କୋଟି କୋଟି ଟଙ୍କାର ଵିଜ୍ଞାପନ ହାସଲ କରୁଥିବା ଗଣମାଧ୍ୟମ ନବୀନବାବୁଙ୍କୁ ଅବତାର ପୁରୁଷ ଭାବେ ଗୁଣଗାନ କରୁଛନ୍ତି ।

ସାରାବିଶ୍ୱ ଜଳୁଛି I ମଣିଷ ପ୍ରକୃତି ସହିତ ଖେଳୁଛି, ତାପମାତ୍ରା ଭୟଙ୍କର ଭାବରେ ବଢିଯିବ, ଲୋକମାନେ ଛାଟିପଟି ହୋଇମରିବେ । ୨୦୨୩ ମସିହାରେ ତାପମାତ୍ରା ବୃଦ୍ଧି ପାଇବ । ବରଫ ପାହାଡ ତରଳିବ, ସମୁଦ୍ର ପତନ ବଢ଼ିବ, ନଦୀ ନାଳ ଶୁଖିବ, ବାୟୁମଣ୍ଡଳରେ ବିଷାକ୍ତ ଗ୍ୟାସ ବଢିଯିବ । ଲୋକେ ପାନୀୟ ଜଳ ନ ପାଇ ଛଟପଟ ହେବେ । ପାଣି ପାଇଁ ମଣିଷ ଭିତରେ ଝଗଡା ଆରମ୍ଭ ହେବ । ପୃଥିବୀର ଅନେକ ସ୍ଥାନରେ ମାଟିଅତଡା ଖସିବ । ଯାତାୟତ ପାଇଁ ହଇରାଣ ହେବେ ।

କ୍ଷମତା ପାଇଁ କିଛି ରାଜନୈତିକ ଦଳ ଓ ସମାଜ ବିରୋଧୀ ସଂଗଠନ ଏକଜୁଟ ହେବେ । ଲୋକମାନଙ୍କୁ ଭଦ୍ରଲୋକ ଆଉ ଅପରାଧୀ ଏକାଭଳି ଜଣାପଡିବେ । ଯାହାହେଉନା କାହିଁକି, ଭାଗବତ ଅନୁସାରେ ଯାହା ହେଉଛି ଭଲ ହେଉଛି ଯାହା ହବ ଭଲ ହବ । ଈଶ୍ୱରଙ୍କ ଇଛାରେ ଯଦି ମହାପ୍ରଳୟ ହେବାର ଅଛି , ତାକୁ କିଏ ବା ରୋକିପାରିବ ।