ଟ୍ୱିଟରକୁ ଝଟ୍‌କା: ଗଣିବ ମୋଟା ଅଙ୍କର ଫାଇନ୍‌

Twitter scam: counting fines

ନ୍ୟୁୟର୍କ: ବିଗତ ଛଅ ବର୍ଷ ମଧ୍ୟରେ ଉପଭୋକ୍ତାଙ୍କ ତଥ୍ୟକୁ ଗୋପନୀୟ ରଖି ନଥିବା ଅଭିଯୋଗରେ ଟ୍ୱିଟର ଗଣିବ ତଣ୍ଡ । ଟ୍ୱିଟର ଉପରେ ପଡ଼ିଛି ୧୫୦ ମିଲିୟନ ଡଲାର ଜରିମାନା । ଏହା ସହିତ ଉପଭୋକ୍ତା ତଥ୍ୟକୁ ସୁରକ୍ଷା ଦେବା ପାଇଁ ନୂତନ ମାନକ ପ୍ରସ୍ତୁତ କରିବାକୁ ଟ୍ୱିଟରକୁ ଦିଆଯାଇଛି ନିର୍ଦ୍ଦେଶ । ଫେଡେରାଲ ବାଣିଜ୍ୟ ଆୟୋଗ ଓ ନ୍ୟାୟିକ ବିଭାଗ ଏହି ମାମଲାର ଶୁଣାଣି କରି ଏହି ଘୋଷଣା କରିଛନ୍ତି ।

ଆମେରିକା ସରକାର ଅଭିଯୋଗ କରିଛନ୍ତି ଯେ ମେ ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ଟ୍ୱିଟର ନିଜ ୟୁଜର୍ସଙ୍କ ଫୋନ ନମ୍ବର ଏବଂ ଇମେଲ ଠିକଣା ସଂଗ୍ରହ କରିଥିଲା । ଆକାଉଣ୍ଟଗୁଡିକର ସୁରକ୍ଷା ପାଇଁ ଏପରି ଡାଟା ସଂଗ୍ରହ କରାଯାଉଥିବା ସେତେବେଳେ ଟ୍ୱିଟର ପକ୍ଷରୁ କୁହାଯାଇଥିଲା । କିନ୍ତୁ ଟ୍ୱିଟର ନିଜ ପ୍ଲାଟଫର୍ମରେ ଆସୁଥିବା ଅନଲାଇନ ବିଜ୍ଞାପନକୁ ଉପଭୋକ୍ତାଙ୍କ ନିକଟରେ ପଠାଇବାକୁ ଏହି ବ୍ୟକ୍ତିଗତ ଡାଟା ବ୍ୟବହାର କରିଛି ନା ନାହିଁ ସେ ସମ୍ପର୍କରେ କମ୍ପାନୀ ପକ୍ଷରୁ ୟୁଜର୍ସଙ୍କୁ କିଛି ସୂଚନା ଦିଆଯାଇନି ।

ଦାଖଲ ହୋଇଥିବା ମକଦ୍ଦମାରେ ନିୟାମକମାନେ ଅଭିଯୋଗ କରିଛନ୍ତି ଯେ ଟ୍ୱିଟର ମିଥ୍ୟା ସତ୍ୟପାଠ କରି ୟୁରୋପୀୟ ୟୁନିଅନ ଏବଂ ସ୍ୱିଜରଲ୍ୟାଣ୍ଡ ସହିତ ଗୋପନୀୟ ଚୁକ୍ତିନାମା ପାଳନ କରୁଥିବା କହିଛି । ଆମେରିକାର ଆଟର୍ଣ୍ଣି ଷ୍ଟେଫନି ହିଣ୍ଡ୍ସ କହିଛନ୍ତି ଯେ ଯେଉଁ ଉପଭୋକ୍ତାମାନେ ସେମାନଙ୍କର ବ୍ୟକ୍ତିଗତ ସୂଚନା ସୋଶାଲ ମିଡିଆରେ ଶେୟାର କରୁଛନ୍ତି, ସେମାନଙ୍କର ଏହା ଜାଣିବାର ଅଧିକାର ରହିଛି ଯେ, ସେମାନଙ୍କ ତଥ୍ୟ ବିଜ୍ଞାପନଦାତାଙ୍କ ନିକଟକୁ ପଠାଯାଉଛି କି ନାହିଁ ।

ଏଥିସହ କୁହାଯାଇଛି, ଫେସବୁକ, ଟ୍ୱିଟର, ହ୍ୱାଟ୍ସଆପ୍‌ ଏବଂ ଇନଷ୍ଟାଗ୍ରାମ ପରି ପ୍ଲାଟଫର୍ମରେ ୧୯ ବିଲିୟନ ସକ୍ରିୟ ୟୁଜର୍ସ ଅଛନ୍ତି । ଏହାଦ୍ୱାରା ସମାଜରେ ମିଥ୍ୟା ଖବର ଏବଂ ଘୃଣ୍ୟ ବକ୍ତବ୍ୟ ବିସ୍ତାର କରିବାର ଗତି ମଧ୍ୟ ବହୁଗୁଣିତ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, କରୋନା ଅବଧୀ ସମୟରେ ସୋଶାଲ ମିଡିଆରେ ମିଥ୍ୟା ଖବର ବହୁ ମାତ୍ରାରେ ବୃଦ୍ଧି ପାଇଛି ।