ନେତାଙ୍କ ଲାଗି ଗଛବଳି

Top story Tree sacrifices for leaders

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ନେତାଙ୍କ ପାଇଁ ବଳି ପଡିଲା ରାଜଧାନରେ ଥିବା ବହୁ ବଡ ବଡ ଗଛ । ନେତାଙ୍କ ପାଇଁ ଆପାଟମେଣ୍ଟ ତିଆରି କରିବା ନିମନ୍ତେ ୨୦୦ରୁ ଅଧିକ ବିରାଟକାୟ ଗଛ ବଳି ପଡିଲା । ରାଜଭବନ ଠାରୁ ପୁଲିସ କମିଶନରେଟ ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାର୍ଶ୍ୱରେ ଏଭଳି ଶହ ଶହ ଗଛକୁ କାଟି ଗଡ଼ାଇ ଦିଆଯାଇଛି । ତାତିରେ ସିଝୁଥିବା ରାଜଧାନୀର ଅଧିକ ଗଛ ଲଗାଇବା ଆବଶ୍ୟକ ହୋଇପଡ଼ିଥିବା ବେଳେ ଏଠାରେ ବିକାଶ ନାମରେ ଶହ ଶହ ଗଛ କାଟି ଦିଆଯାଉଛି । ଏହି ଗଛଗୁଡ଼ିକ ବେଆଇନ ଭାବେ କଟାଯାଉ ଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ ବିଧାୟକଙ୍କ ରହଣି ନିମନ୍ତେ ଏଠାରେ ଆଲିସାନ ଆପାର୍ଟମେଣ୍ଟ ତିଆରି କରାଯିବ । ଗୋଟିଏ ୧୦ ମହଲା ଓ ଅନ୍ୟଗୋଟିଏ ୧୧ ମହଲା । ଯେଉଁଥିରେ ପ୍ରାୟ ୩୦୦ଟି କ୍ୱାର୍ଟର୍ସ ରହିବ । ଏହି କୋଠା ନିର୍ମାଣରେ ପ୍ରାୟ ୨୭୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କୋଠା ନିର୍ମାଣ ନିମନ୍ତେ ସରକାର ଏବେ ରାଜଧାନୀ ଛାତି ଉପରେ ଶହଶହ ଗଛ କାଟି ଚାଲିଛନ୍ତି । ପରିଣାମ ସ୍ୱରୁପ ଏବେ ଏହି ବିରାଟକାୟ ବୃକ୍ଷତଳେ ଥିବା ବିଶାଳ ପାର୍କ ଉଭାନ ହୋଇଯାଇଛି ।

ଯାହାତଳେ ୟୁପିଏସସି ଓ ଅନ୍ୟ ଚାକିରି ପାଇବା ନିମନ୍ତେ ଛାତ୍ରଛାତ୍ରୀମାନେ ପାଠପଢ଼ି ନିଜକୁ ପ୍ରସ୍ତୁତ କରୁଥିଲେ । ଗଛ କଟାଯିବା ଦେଖି ଆଉ ଏଠାକୁ କେହି ଅସୁନାହାନ୍ତ । ଗଛ କଟା ଯିବାପରେ ଏହା ଗଣ୍ଡିଗୁଡ଼ିକ ମାଟି କାମୁଡ଼ି ପଡ଼ିଛି । ଗଛରେ ବସା କରିଥିବା ପକ୍ଷୀମାନେ ଆଉ କଳରବ କରିବାକୁ ଆସୁନାହାନ୍ତି ।

ସେହିପରି କଟା ଯାଇଥିବା କେଉଁ ଗଛ ଗଣ୍ଡିର ଓସାର ୫ ଫୁଟ ତ କାହାର ଓସାର ୮ ଫୁଟ । ଲକ୍ଷ ଲକ୍ଷ ଲୋକଙ୍କୁ ଛାଇ ଓ ଅମ୍ଳଯାନ ଯୋଗାଉଥିବା ଗଛଗୁଡ଼ିକ ଧରାଶାୟୀ ହୋଇଯାଇଛି । ଏହି ବାଟ ଦେଇ ଯାଇଥିବା ପାଣିପାଇପରୁ ପାନୀୟଜଳ ଅନବରତ ନଷ୍ଟ ହୋଇଚାଲିଛି । ଏନେଇ ଭୁବନେଶ୍ୱର ସିଟି ଡିଏଫଓ ଯଶୋବନ୍ତ ବେହେରା ସଫେଇ ଦେଇ କହିଛନ୍ତି, ଏଠାରେ କୋଠା ନିର୍ମାଣ ପାଇଁ ୮୭୦ ଗଛ କଟାଯିବ ।