ରାଞ୍ଚିରେ ହିଂସା ମାମଲାରେ ଦୁଇ ମୃତ

ଉପଦ୍ରବ ସମୟରେ ଗୁରୁତର ହୋଇଥିବା ୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ହୋଇଛି…

ରାଞ୍ଚି : ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ମହାପୁରୁଷ ମହମ୍ମଦଙ୍କୁ ନେଇ ଦିଆଯାଇଥିବା ବିବାଦ କାରଣରୁ ହିଂସା ଦେଖାଯାଇଛି । ଉପଦ୍ରବ ସମୟରେ ଗୁରୁତର ହୋଇଥିବା ୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଏକ ରିପୋର୍ଟ ଅନୁସାରେ ୮ ଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ସୂଚନା ଅନୁସାରେ ପ୍ରଦର୍ଶନକାରୀମାନେ ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇଥିଲେ । ମୁଖ୍ୟ ରାସ୍ତାରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ଶୋଭାଯାତ୍ରା ସହ ସ୍ଲୋଗାନ ଦେବା ସହ କୁଶପୁତ୍ତଳିକା ଦାହ କରିଥିଲେ । ଏହା ପରେ ଦେଖୁ ଦେଖୁ ପ୍ରଦର୍ଶନ ହିଂସାରେ ପରିଣତ ହୋଇଥିଲା ।

ପ୍ରଦର୍ଶନ ଉଗ୍ର ରୂପ ନେବା ପରେ ପୋଲିସ ଭିଡ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିଥିଲା ଓ ଫାଙ୍କା ଗୁଳିଚାଳନା କରିଥିଲା । ତେବେ ଭିଡରେ ଥିବା ଲୋକେ ପଥରମାଡ କରିଥିଲେ । ଏଥିରେ କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । କିନ୍ତୁ ପରେ ପୋଲିସ ଭିଡକୁ ନିୟନ୍ତ୍ରଣ କରିପାରିଥିଲା । ହିଂସାରେ ସାମିଲ ଥିବା ୧୦ ଜଣ ଗୁରତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏଥିରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଏବେ ପୂରା ରାଞ୍ଚିରେ କର୍ଫ୍ୟୁ ଲାଗୁ କରିଦିଆଯାଇଛି ।