ହାଇଦ୍ରାବାଦ ଆକାଶରେ ୟୁଏଫ୍‌ଓ!

ବେଲୁନ ଭିତରେ ଆକାଶ ପରିଭ୍ରମଣ

୭ ଡିସେମ୍ବର ଶୀତ ସକାଳ, ସମୟ ପ୍ରାୟ ସାଢେ଼ ୬ଟା । ହାଇଦ୍ରାବାଦ ଆକାଶରେ ଗୋଟିଏ ଗୋଲାକାର ବସ୍ତୁ (ବିରାଟ ବେଲୁନ) ଦେଖିବାକୁ ମିଳିଲା । ଲୋକମାନେ ଭାବିଲେ ବୋଧହୁଏ କୌଣସି କମ୍ପାନୀ ପକ୍ଷରୁ ଆକାଶ ମଣ୍ଡଳରୁ ବିଜ୍ଞାପନ ପ୍ରଦର୍ଶନ ଚାଲିଛି । ମାତ୍ର ବସ୍ତୁଟି ଯେତିକି ନିକଟତର ହେଲା; ଲୋକଙ୍କ ମନରେ ନାନା ଆଶଙ୍କା ପ୍ରକାଶ ପାଇଲା । କିଛି ଲୋକଙ୍କ ଦୃଷ୍ଟିରେ ଭାସମାନ ବସ୍ତୁଟି ୟୁଏଫ୍‌ଓ ଭ୍ରମ ସୃଷ୍ଟି କଲା । ଆଖପାଖରେ ଚହଳ ପଡ଼ିଗଲା । ରାମୋଜୀ ଫିଲ୍ମ ସିଟିରେ ଉପସ୍ଥିତ ନିର୍ଦ୍ଦେଶକ ଜଗରଲାମୁଦି କୃଷ୍ଣ ଉକ୍ତ ବସ୍ତୁର ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପ୍ରସାରଣ କରିଦେଲେ । ଭିଡିଓଟି ସୋସିଆଲ ମିଡ଼ିଆରେ ବୁଲିବାକୁ ଲାଗିଲା । ବୁଝିବାରୁ ଜଣାପଡ଼ିଲା, ହାଇଦ୍ରାବାଦଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ବିକରାବାଦ ଅଂଚଳର ମୋଗଲିଗୁଣ୍ଡାଲା ଗ୍ରାମ ପଡ଼ିଆରେ ବସ୍ତୁଟି ଅବତରଣ କରିଛି ।
ଗୋଲାକାର ମହାକାଶଯାନ ଭଳି ଦିଶୁଥିବା ବସ୍ତୁଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଲା । ଘଟଣା ସଂପର୍କରେ ଖବର ପାଇ ପୁଲିସ ଯଥା ସମୟରେ ପହଂଚିଗଲା । ପ୍ଲାଷ୍ଟିକରେ ତିଆରି ବସ୍ତୁଟି ଏକ କୋଠରୀ ସଦୃଶ ଥିଲା । ସମସ୍ତଙ୍କ ଆଖିରେ ବିସ୍ମୟ । କେତେବେଳେ ବିରାଟ ପେଣ୍ଡୁଟିର ଦ୍ୱାର ଖୋଲିବ ଓ ତା’ ଭିତରୁ ଛୋଟ ଆକାରର ଏଲିୟନ୍‌ ପଦାକୁ ଆସିବେ । ୟା’ ଭିତରେ କାରଟିଏ ପହଂଚିଗଲା ମୋଗଲିଗୁଣ୍ଡଲା ପଡ଼ିଆରେ । କାର ଭିତରୁ ବାହାରି ଆସିଲେ ୬/୭ ଜଣ ସୁଟସାଟ୍‌ ପିନ୍ଧା ଲୋକ । ସମସ୍ତେ ପହଂଚିଗଲେ ବିରାଟ ବେଲୁନ ପାଖେ । ଭଲ କରି ଚାରିଆଡ଼ ପରୀକ୍ଷା କଲେ, ଘଟଣା ସଂପର୍କରେ ଲୋକଙ୍କୁ ଜଣାଇଲେ ।
କାରରୁ ବାହାରିଥିବା ଲୋକମାନେ ହେଉଛନ୍ତି ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଂଟାଲ ରିସର୍ଚ୍ଚ ବେଲୁନ ବିଭାଗରେ କାର୍ଯ୍ୟରତ ବିଶେଷଜ୍ଞ ମଣ୍ଡଳୀ । ମୋଗଲିଗୁଣ୍ଡଲା ଗ୍ରାମ ନିକଟରେ ଅବତରଣ କରିଥିବା ବସ୍ତୁଟି ମହାଶୂନ୍ୟରେ ଘୁରି ବୁଲୁଥିବା ଏଲିୟନ୍‌ଙ୍କ ୟୁଏଫ୍‌ଓ ନଥିଲା । ଥିଲା ହିଲିୟମ ଭରା ବେଲୁନ ଯାହାର ସଫଳ ପରୀକ୍ଷଣ କରାଯାଇଥିଲା ଖାସ୍‌ କରି ମହାକାଶ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଉଦ୍ଦେଶ୍ୟରେ ।
ଟାଟା ଗବେଷଣା ପ୍ରତିଷ୍ଠାନର ମୁଖ୍ୟଙ୍କ ସୂଚନା ମୁତାବକ ବିରାଟ ବେଲୁନଟିର ସଫଳ ପରୀକ୍ଷଣ ଆଗାମୀ ଦିନରେ ଲୋକଙ୍କ ମନୋରଞ୍ଜନ ପ୍ରଦାନ କରିବ । ଲୋକମାନେ ବେଲୁନ କୋଠରୀରେ ବସି ଆକାଶ ମଣ୍ଡଳ ବୁଲିବେ । ଆକାଶ ମଣ୍ଡଳରେ ଭାସମାନ ଅବସ୍ଥାରେ ବାହାଘର, ଜନ୍ମଦିନ ଅବା ଟି’ ପାର୍ଟି ମଜା ନେବେ । ବାଃ ଚମକ୍ରାର ଯୋଜନା ।
ଲୋକମାନେ ଧାର୍ମିକ ପୀଠ, ଦର୍ଶନୀୟ ସ୍ଥାନ, ବେଳାଭୂମି ବୁଲୁଥିଲେ । ଏବେ ସେମାନଙ୍କ ପାଇଁ ମନୋରଞ୍ଜନର ଖୋରାକ ହେବାକୁ ଯାଉଛି ଆକାଶ ମଣ୍ଡଳରେ ଭାସିବା, ଖିଆପିଆ ଓ ଚାଚିବାର ମଉକା ।