ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନରେ ସୁରକ୍ଷିତ ନାହାନ୍ତି ନାରୀ ସମାଜ

ଟଣାଓଟରାରୁ ବାଦ ପଡ଼ିଲେନି ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା….

ନୂଆଦିଲ୍ଲୀ: ନାରୀ ନିର୍ଯାତନା କ୍ରମେ ଜାତୀୟକରଣ ହେବାକୁ ଯ।।ଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାକତଳେ ଗୋଟିଏ ଝିଅକୁ ୮ କିଲୋମିଟର ଘୋଷାଡ଼ି ମାରି ଦିଆଗଲା । ପୁଣି ଜଣେ ବୟସ୍କ ଲୋକଙ୍କୁ ୧ କିଲୋମିଟର ଟାଣି ନିଆଗଲା । ଲିଭ-ଇନ୍‌-ରିଲେସନସିପକୁ ଆଇନାନୁମୋଦିତ କରି ଦିଆଯିବା ଫଳରେ ଆଧୁନିକା ଯୁବତୀମାନେ ପ୍ରେମରେ ଉବୁଟୁବୁ ହୋଇ ପ୍ରେମିକଙ୍କ କରତରେ ଖଣ୍ଡଖଣ୍ଡ ହୋଇ ଜଙ୍ଗଲରେ ଫିଙ୍ଗା ଯାଉଛନ୍ତି ।

ସବୁକିଛି ଏମିତି ଚାଲିଛି ଯେପରି ନାରୀ ସମାଜକୁ ନିର୍ଯାତନା ଦିଆଯିବା ପଛରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନିରବ ସମର୍ଥନ ରହିଛି । ଗୁରୁବାର ଏମିତି ଗୋଟିଏ ଘଟଣା ଆମ ଦୃଷ୍ଟିକୁ ଆସିଛି ଯାହା ସଭ୍ୟ ମଣିଷର ରାକ୍ଷସ ପ୍ରବୃତିକୁ ଧରା ପକାଇଛି । ନାରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସଂକଳ୍ପବଦ୍ଧ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମଲିୱଲ ଖୋଦ ଜଣେ ମଦୁଆ ଡ୍ରାଇଭରଙ୍କ ଅସଦାଚରଣର ଶିକାର ହୋଇଛନ୍ତି । ଆଇନ କାନୁନକୁ ସଖି କଣ୍ଢେଇ ମଣୁଥିବା ଅପରାଧୀମାନଙ୍କୁ ସାବାଡ୍‌ କରିବା ପାଇଁ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାର ବିଫଳ ହୋଇଛନ୍ତି ।

ସୂଚନା ମୁତାବକ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ମଲିୱାଲଙ୍କୁ ଜଣେ ନିଶାସକ୍ତ କାର ଚାଳକ ପ୍ରାୟ ୧୫ ମିଟର ଯାଏ ଟାଣି ନେଇଛନ୍ତି । ଘଟଣାଟି ବୁଧବାର ବିଳମ୍ବିତ ରାତିରେ ଏମ୍‌ସ ହସ୍ପିଟାଲ ନିକଟରେ ଘଟିଛି । ସ୍ୱାତୀ ମଲିୱଲ ଦିଲ୍ଲୀ ସଡ଼କ ଉପରେ ମହିଳାଙ୍କ ସୁରକ୍ଷା ବିଷୟ ତଦାରଖ କରିବାକୁ ବାହାରିଥିଲେ । ପୁଲିସ ଅଭିଯୁକ୍ତ ହରିଶ ଚନ୍ଦ୍ରଙ୍କୁ ଗିରଫ କରିଛି । ସ୍ୱାତୀ କହିଛନ୍ତି ଯେ ତାଙ୍କୁ ଅଞ୍ଜଳି ଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଥାନ୍ତା; ମାତ୍ର ଭଗବାନଙ୍କ କରୁଣାରୁ ସେ ବର୍ତି ଯାଇଛନ୍ତି ।

ସ୍ୱାତୀ ରାସ୍ତା ଉପରେ ଠିଆ ହୋଇଥିଲା ବେଳେ ଜଣେ କାର ଚାଳକ ତାଙ୍କ ନିକଟକୁ ଆସି ତା’କାରରେ ବସିବାକୁ ଜିଦ କଲା । ସ୍ୱାତୀ ମନା କରିବାରୁ ଅଭିଯୁକ୍ତ କାର ଚଳାଇ ଆଗକୁ ଚାଲିଗଲା । ମାତ୍ର ୧୦ ମିନିଟ୍‌ ପରେ ପୁଣି ୟୁ-ଟର୍ଣ୍ଣ କରି ତାଙ୍କ ପାଖେ ପାଖେ ଗାଡ଼ି ଚଳାଇଲା । ତା’ପରେ ପରେ କମେଂଟ ମାରିଲା । ଖରାପ ଇଶାରା କଲା । ସ୍ୱାତୀ ତାକୁ ଧରିବାକୁ ଉଦ୍ୟମ କରି କାର ଦରଜାକୁ ଧରି ପକାଇଲେ ।

ଗାଡ଼ି ଚାଳକ ହଠାତ୍‌ କାର ଦରଜାସ୍ଥିତ କାଚ ବନ୍ଦ କରିଦେଲା । ସ୍ୱାତୀଙ୍କ ହାତଟି କାର କାଚରେ ଫସିଗଲା । ଅଭିଯୁକ୍ତ କାର ଅଟକାଇବା ବଦଳରେ ସ୍ୱାତୀଙ୍କୁ ଆଗକୁ ଘୋଷାଡ଼ି ନେଇଗଲା । ସ୍ୱାତୀଙ୍କର ଏଭଳି ଦୁର୍ଦ୍ଦଶା ଦେଖି ଅନତିଦୂରରେ ଠିଆ ହୋଇଥିବା ତାଙ୍କ ଟିମର ଜଣେ ସଭ୍ୟ ପାଟି କରି ଡାକ ପକାଇଲା ।

ଚାଳକ ଜଣକ ହଡ଼ବଡେ଼ଇ ସ୍ୱାତୀଙ୍କୁ ଛାଡ଼ି ପଳାଇଲା । ଦିଲ୍ଲୀର ଆଇନ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ଦିଲ୍ଲୀରେ ମହିଳା ଆୟୋଗ ଅଧ୍ୟକ୍ଷ ସୁରକ୍ଷିତ ନାହାନ୍ତି; ସାଧାରଣ ଜନତାଙ୍କ କଥା କ’ଣ କହିବା ।