ପ୍ରେମିକାଙ୍କୁ ମାରି ବିକିଦେଲେ କିଡ୍‌ନି, ଲିଭର

କଳାବଜାରରେ ଯକୃତ, ହୃତପିଣ୍ଡର ମୂଲ୍ୟ ୧୬ କୋଟି….

ନୂଆଦିଲ୍ଲୀ: ମେକ୍ସିକୋର ଜନୈକ ଯୁବତୀ ଏକ ଗେମିଂ ଆପ୍‌ ଜରିଆରେ ପେରୁର ଜଣେ ଯୁବକଙ୍କୁ ଏମିତି ପାଗଳ ଭଳି ଭଲ ପାଇବସିଲେ ଯେ ପରିବାରକୁ ତୁଚ୍ଛ କରି ପ୍ରାୟ ୫୦୦୦ କିଲୋମିଟର ଯାତ୍ରା କରି ମନର ମଣିଷ ପାଖରେ ପହଂଚିଗଲେ । ବିଚାରୀ ଝିଅଟି ତା’ର ପ୍ରେମକୁ ପାଇ ଖୁସିରେ ଆତ୍ମହରା ହେଲେ । କିନ୍ତୁ ବିଧାତାଙ୍କର ବିଧାନ ଆଉ କିଛି ଥିଲା । କିଛିଦିନ ପତି-ପତ୍ନୀ ଜୀବନ ବିତାଇବା ପରେ ଯୁବକଜଣକ ଯୁବତୀଙ୍କୁ ନିର୍ମମ ହତ୍ୟା କରି ତାଙ୍କର ହୃତପିଣ୍ଡ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକୁ ବାହାର କଲେ । ମୃତଦେହକୁ ଖଣ୍ଡଖଣ୍ଡ କରି ସମୁଦ୍ରରେ ପକାଇଦେଲେ ।

ପୁଲିସ ଯୁବତୀଙ୍କର ମୃତଦେହକୁ ଉଦ୍ଧାର କରି ଯାଂଚ କଲାବେଳକୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଇଲାନି । ବହୁ ତନାଘନା କରି ପୁଲିସ ଜାଣିବାକୁ ପାଇଲା ଯେ ସଂପୃକ୍ତ ଯୁବତୀଙ୍କ ନାମ ବ୍ଲାଙ୍କା ଆରିଲୋନା । ତାଙ୍କ ଘର ମେକ୍ସିକୋ । ସେ ସୋସିଆଲ ମିଡିଆ ଜରିଆରେ ପେରୁର ଜୁଆନ୍‌ ପ୍ଲାବୋଙ୍କୁ ଭଲ ପାଇଥିଲେ । ଗତ ଜୁଲାଇ ୭ ତାରିଖରେ ମେକ୍ସିକୋ ସିଟିରୁ ପେରୁ ରାଜଧାନୀ ଲିମାକୁ ଉଡ଼ି ଯାଇଥିଲେ । ସୂଚନା ମୁତାବକ ମାନବ ଅଙ୍ଗପ୍ରତ୍ୟଙ୍ଗର କଳାବଜାର ଚନ୍ଦ୍ରକଳା ଭଳି ବୃଦ୍ଧି ପାଉଛି ।

ବ୍ରିଟେନସ୍ଥିତ ନ୍ୟାସନାଲ ଲାଇବ୍ରେରୀ ଅଫ୍‌ ମେଡିସିନ୍ସ ପକ୍ଷରୁ ୨୦୨୦ ମେ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ସାରାବିଶ୍ୱରେ ବର୍ଷକୁ ପ୍ରାୟ ୧୨ ହଜାର ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ କରାଯାଉଛି ଯାହା ୧୩ ହଜାର କୋଟିର ବ୍ୟବସାୟ । ଅନ୍ଧାରୀ ଦୁନିଆରେ ଅଙ୍ଗପ୍ରତ୍ୟଙ୍ଗ ବେପାର ଧୁମଧାମରେ ଚାଲିଛି । ବିଶ୍ୱ ଜାତିସଂଘ ରିପୋର୍ଟ ଅନୁସାରେ ବିଶ୍ୱରେ ମାନବ ଅଙ୍ଗପ୍ରତ୍ୟଙ୍ଗର ଚୋରା ଚାଲାଣକୁ ରୋକିବା ଏକ ଆହ୍ୱାନ ପାଲଟିଛି । ଗରିବ ଦେଶଗୁଡ଼ିକ ପାଇଁ ଏହା ଏକ ବଡ଼ ସମସ୍ୟା । ସାରାବିଶ୍ୱରେ ଯେତିକି ମାନବ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ କରାଯାଉଛି, ତା’ର ୧୦ ଭାଗ କଳାବଜାରରୁ ଆସିଥାଏ ।

ଅଙ୍ଗଦାନକୁ ମହାଦାନ କୁହାଯାଏ । କିନ୍ତୁ ତାକୁ ଦାନ କରିବାକୁ ଲୋକମାନେ ପଛଘୁଂଚା ଦିଅନ୍ତି । ସାମାଜିକ ଓ ଧାର୍ମିକ ରୀତିନୀତିକୁ ମାନୁଥିବା ଲୋକମାନେ ଅସ୍ଥିକୁ ମଧ୍ୟ ଦାନ କରିବାକୁ ପଛାଇ ଯାଆନ୍ତି । ପ୍ରାଣ ହରାଉଥିବା ଲୋକଙ୍କ ଶରୀର କ୍ରମେ ନଷ୍ଟ କରି ଦିଆଯାଉଛି; ମାତ୍ର ତାକୁ ମହତ କାମରେ ନିୟୋଜିତ କରିବାକୁ ଲୋକମାନେ କୁଣ୍ଠିତ । ଭାରତରେ ଅଙ୍ଗପ୍ରତ୍ୟଙ୍ଗ ଅଭାବ କାରଣରୁ ବର୍ଷକୁ ପ୍ରାୟ ୫ ଲକ୍ଷ ଲୋକ ଅକାଳରେ ମରୁଛନ୍ତି । ସାରା ଦୁନିଆରେ ସମାନ ପରିସ୍ଥିତି । ଏହାର ସୁଯୋଗ ନେଇ ମାନବ ଅଙ୍ଗପ୍ରତ୍ୟଙ୍ଗର ଚୋରା କାରବାର ଚାଲିଛି । ଧନୀଘରର ଲୋକମାନେ କୋଟିକୋଟି ଟଙ୍କା ବିନିମୟରେ ଚୋରା ବଜାରରୁ ଅଙ୍ଗପ୍ରତ୍ୟଙ୍ଗ କିଣୁଛନ୍ତି ।