ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନନୀନ ପଟ୍ଟନାୟକ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ । ନିରନ୍ତର ସେବା ହେଉଛି ଆମର ଲକ୍ଷ୍ୟ । ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ ପରିବର୍ତ୍ତନ କରିବାକୁ ହେବ । ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅଧିକାରୀଙ୍କୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର କାର୍ଯ୍ୟକ୍ରମ ଦୁଇ ବର୍ଷ ଧରି ଆରମ୍ଭ ହୋଇଛି । ପ୍ରଶାସନିକ ସ୍ତରରେ ସରକାରଙ୍କ ଏହି ରୂପାନ୍ତର ଉଦ୍ୟମ ଜନସାଧାରଣଙ୍କ ମଧ୍ୟରେ ସରକାରଙ୍କ ସପକ୍ଷରେ ବିଶ୍ୱାସ ସୃଷ୍ଟି କରିପାରିଛି । ସରକାରୀ ଅଧିକାରୀଙ୍କ ମଧ୍ୟରେ ବୃତ୍ତିଗତ ବ୍ୟବହାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସରକାରୀ ଅଧିକାରୀମାନେ ଏବେ ଜନସାଧାରଣଙ୍କ ସହିତ ଅଧିକ ଦାୟିତ୍ୱସମ୍ପନ୍ନ ତଥା ସହୃଦୟତାର ସହ ବ୍ୟବହାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୋ ସରକାରରୁ ମିଳିଥିବା ଫିଡବ୍ୟାକ ଅନୁଯାୟୀ ସରକାରଙ୍କର ଅନେକ ବିଭାଗ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମର ଲକ୍ଷ୍ୟ ଅନୁଯାୟୀ ଯେପରି ସର୍ବୋତ୍ତମ ଭାବେ କାର୍ଯ୍ୟ କରିବ, ସେଥିପାଇଁ ଧ୍ୟାନ ଦେବା ପାଇଁ ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିପାଇଁ ନାଗରିକ ମାନଙ୍କ ଡାଟାବେସକୁ ସବୁ ସମୟରେ ନବୀକୃତ କରିବା ଜରୁରୀ ବୋଲି ସେ କହିଥିଲେ । ଏହା ଆମର ଦୁର୍ନୀତି ପ୍ରତି ଶୂନ୍ୟ ସହିଷ୍ଣୁତା ନୀତିକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବୈଠକରୁ ଜଣାପଡିଛି ଯେ, ମୋ ସରକାର ୨୮ଟି ବିଭାଗର ୨୨୨ଟି ସେବା ଅନ୍ତର୍ଭୁକ୍ତ କରାଯାଇଛି । ଏ ସଂପର୍କରେ ଲୋକଙ୍କ ପାଖରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ନିୟମିତ ତଥ୍ୟ ସଂଗ୍ରହ କରାଯାଇଛି । ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସ୍ୱରଷ୍ଟ୍ର ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଉପସ୍ଥାପନା ଜରିଆରେ ସେମାନଙ୍କ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମର କାର୍ଯ୍ୟକାରୀତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଏହି ବିଭାଗର ସନ୍ତୋଷଜନକ ପ୍ରତିକ୍ରିୟା ମିଳିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଅଧିକ ନିଷ୍ଠାର ସହ ସେବା ଯୋଗାଇ ଦେବାପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥାପିତ ତଥ୍ୟର ଅନୁଶୀଳନ କରି ଏହି କାର୍ଯ୍ୟକ୍ରମର କିପରି ଅଧିକ ଉନ୍ନତି ଆସିପାରିବ ସେ ସଂପର୍କରେ ମତାମତ ରଖିଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ଉନ୍ନୟନ କମିଶନର ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।