ଡିଏମ୍ଏଫ୍ କେନ୍ଦୁଝରର ନିଆରା ପ୍ରୟାସ ଟ୍ରଲିରେ ବୁଲି ପାଣି ଉଠାଉଛି ସୋଲାର୍ ପମ୍ପ

ଥରକରେ ୨୦ ଏକର ଚାଷଜମିକୁ ମଡ଼ାଉଛି ପାଣି

ଚମ୍ପୁଆ ବ୍ଲକ ରାଜିଆ ଗାଁରେ ପରୀକ୍ଷାମୂଳକ ଭାବେ ଆରମ୍ଭ

ସହଜରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର ହେଉଛି

କେନ୍ଦୁଝର: ସାଧାରଣତଃ ଖରାଦିନେ ଚାଷୀକୁ ଫସଲ ଚିନ୍ତା ବେଶୀ ଘାରିଥାଏ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ କୁଅ, ପୋଖରୀ ଆଦିରେ ଜଳସ୍ତର ହ୍ରାସପାଇ ପାଣି ତଳକୁ ଚାଲିଯାଏ। ଅନ୍ୟପଟେ ବିଜୁଳି ସମସ୍ୟା ସକାଶେ ବିଦ୍ୟୁତ ମୋଟର ସାହାଯ୍ୟରେ ପାଣି ଉଠାଇବା ମଧ୍ୟ କାଠିକର ପାଠ ବୋଲି ଦେଖିବାକୁ ମିଳିଥାଏ। ଏପରିସ୍ଥଳେ ବହୁ ଚାଷୀ ଖରାଦିନେ ଚାଷ କାର୍ଯ୍ୟ କରିବାକୁ ଉଚିତ୍ ମଣନ୍ତିନି ଅବା ଗ୍ରୀଷ୍ମଋତୁ ପ୍ରାରମ୍ଭରେ ଲଗାଇଥିବା କିଛି ଗଛ ବା ଫସଲ ବଞ୍ଚିବା ନେଇ ସେମାନେ ଆଶା ଛାଡ଼ିଦେଇଥାନ୍ତି। ହେଲେ କେନ୍ଦୁଝର ଜିଲ୍ଲାରେ ଏହି ସମସ୍ୟାର ଏକ ଭଲ ସମାଧାନ ସୁତ୍ର ସାମ୍ନାକୁ ଆସିଛି। ତାହା ହେଉଛି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାଣି ଉଠାଉଥିବା ସୋଲାର୍ ପମ୍ପ।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍), କେନ୍ଦୁଝର ସହାୟତାରେ ଚମ୍ପୁଆ ବ୍ଲକରେ ଏହି ନିଆରା ପ୍ରୟାସ ଆରମ୍ଭ ହୋଇଛି। ବିଶେଷ କରି ୱାଡ଼ି ପ୍ରକଳ୍ପ ଅଧିନରେ ଚାଷ କାର୍ଯ୍ୟ ଜାରିରଖିଥିବା କୃଷକମାନେ ଏହାଦ୍ୱାରା ବହୁମାତ୍ରାରେ ଲାଭାନ୍ୱିତ ହୋଇପାରିଛନ୍ତି। ଚମ୍ପୁଆ ବ୍ଲକ ଅନ୍ତର୍ଗତ ରାଜିଆ ଗାଁରେ ଏହି ମୋବାଇଲ ସୋଲାର୍ ପମ୍ପିଂ ସିଷ୍ଟମର ବ୍ୟବହାର ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି। ଯେଉଁଥିରେ ଏକ ଟ୍ରଲି ଉପରେ ଏକ କିଲୋୱାଟର ସୋଲାର ପ୍ୟାନେଲ୍ ଏବଂ ୱାନ୍ ଏଚପି ସୋଲାର ପମ୍ପ ଲାଗିଛି। ଏହି ଯାନ୍ତ୍ରିକ ସରଞ୍ଜାମଟି ଏଭଳି ଭାବେ ପ୍ରସ୍ତୁତ ହୋଇଛି ଯେ ସୌରଶକ୍ତି ଉପଯୋଗରେ ତିନିଗୁଣା ଅଧିକ ଅଞ୍ଚଳରେ ଜଳସେଚନ ହୋଇପାରୁଛି। କୌଣସି ବୋରୱେଲ୍ ବା କୁଅରେ ଏହି ମୋବାଇଲ ସୋଲାର ପମ୍ପିଂ ସିଷ୍ଟମକୁ ଲଗାଇଲେ ଏହା ପ୍ରାୟତଃ ନିୟମିତ ଭାବରେ 20 ଏକର ପରିମିତ କ୍ଷେତ୍ରକୁ ପାଣି ମଡ଼ାଇପାରୁଛି। ଜଳର ସଦୂପଯୋଗ ପାଇଁ ଏହି ଜମିରେ ଡ୍ରିପ୍ ପ୍ରଣାଳୀ ବା ବୁନ୍ଦା ଜଳସେଚନ ପ୍ରଣାଳୀର ବ୍ୟବହାର ହେଉଛି।

ଏନେଇ ରାଜିଆ ଗ୍ରାମର ଚାଷୀ ଉଜଳା ପ୍ରଧାନ, ରେବତୀ ଗିରି, ଅଞ୍ଚଳି ବେହେରା, ଇଚ୍ଛାମଣି ଗିରି ପ୍ରମୁଖ ଖୁସିବ୍ୟକ୍ତ କରିଥିବା ବେଳେ ଏହି ସୋଲାର୍ ପମ୍ପ ସିଷ୍ଟମ ତାଙ୍କୁ ଖରାଦିନରେ ବି ଫସଲ ଚାଷ କରିବାକୁ ବଳ ଦେଇଥିବା କହିଛନ୍ତି। ରାଜିଆ ଗାଁରେ ବର୍ତ୍ତମାନ ଦୁଇଗୋଟି ମୋବାଇଲ ସୋଲାର ପମ୍ପ୍ କାର୍ଯ୍ୟରେ ଲାଗିଛି। ୱାଡ଼ି ପ୍ରକଳ୍ପ ଅଧିନରେ ଚାଷକାର୍ଯ୍ୟ କରୁଥିବା 20 ଜଣ ଚାଷୀଙ୍କୁ ଏହି ଦୁଇଟି ପମ୍ପ୍ ପ୍ରଦାନ କରାଯାଇଛି। ଯାହା ଫଳରେ ସେମାନେ କାଜୁ, ଆମ୍ବ ଇତ୍ୟାଦି ଗଛରେ ପାଣି ମଡ଼ାଇବା ସହ ପନିପରିବା ଚାଷ ମଧ୍ୟ ସୁରୁଖୁରୁରେ କରିପାରୁଛନ୍ତି। ଡିଏମଏଫର ଏହି ପ୍ରୟାସ ଚାଷୀଙ୍କ ମୁହଁରେ ହସ ଫୁଟାଇବା ସହ ଅକ୍ଷୟ ଶକ୍ତିର ଉପଯୋଗ ନେଇ ସଚେତନତା ବାର୍ତ୍ତା ଦେଇପାରିଛି। ଆଗକୁ ଜିଲ୍ଲାର ଅନ୍ୟ ସ୍ଥାନମାନଙ୍କରେ ଏହାର ପ୍ରୟୋଗ ନେଇ ଚିନ୍ତାକରାଯାଉଛି।

କାମପାଇଁ ବାଙ୍ଗାଲୋର ଯାଉଥିଲି, ଏବେ ଆଉ ଯାଉନି: କୁନି ଗିରି, ଚାଷୀ

ଆଗରୁ ଗାଁରେ କିଛି କାମ ମିଳୁନଥିଲା। ପିଲାଛୁଆଙ୍କୁ ନେଇ ଚଳିବାରେ ବହୁତ କଷ୍ଟ ହେଉଥିଲା। କାମ ଆଶାରେ ବାଧ୍ୟହୋଇ ବାଙ୍ଗାଲୋର ଯିବାକୁ ପଡ଼ୁଥିଲା। କିନ୍ତୁ, ଗତ ତିନିବର୍ଷ ହେଲା ଆଉ ବାଙ୍ଗାଲୋର ଯିବାକୁ ପଡ଼ୁନି। ଡିଏମଏଫ୍ ସହାୟତାରେ ୱାଡ଼ି ପ୍ରକଳ୍ପରେ ଫଳ ଓ ପନିପରିବା ଚାଷ କରୁଛୁ। ସୌରଚାଳିତ ପମ୍ପ ଜରିଆରେ ପାଣି ମଡ଼ାଇବାର ସୁବିଧା ମିଳିଯାଉଛି। ଏଥିରୁ ବେଶ୍ ଦୁଇ ପଇସା ଲାଭ ମିଳିଯାଉଛି। ଆଉ ପରିବାର ଚଳାଇବାରେ କୌଣସି ଅସୁବିଧା ହେଉନାହିଁ।