ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି, ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର(ଏସ୍ ନ୍ୟୁଜ): ବୁଧବାର ସକାଳେ ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଉତ୍ତର-ପଶ୍ଚିମ ଦିଗ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା କାରଣରୁ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନସଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଲଘୁଚାପ ପଶ୍ଚିମ ଦିଗକୁ ଗତି କରି ଛତିଶଗଡ ଏବଂ ମଧ୍ୟ ଭାରତ ଆଡକୁ ଯାଇପାରେ ବୋଲି ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଗୁରୁବାର ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରପଡା, ପୁରୀ ଏବଂ ବାଲେଶ୍ୱର ଜିଲ୍ଲାର ଅଧିକାଂଶ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଗୁରୁବାର ଓ ଶୁକ୍ରବାର ମଧ୍ୟରେ ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡା ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର
ସମ୍ଭାବନା ରହିଛି।

ଚଳିତ ଅଗଷ୍ଟ ମାସରେ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଏହା ଚତୁର୍ଥ ଲଘୁଚାପ। ବ୍ରାହ୍ମଣୀ ଓ ବୁଢ଼ାବଳଙ୍ଗ ନଦୀର କ୍ୟାଚମେଂଟ ଏରିଆରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଗୁରୁବାର ଓ ଶୁକ୍ରବାର ସୁଦ୍ଧା ମହାନଦୀର ଉପର କ୍ୟାଚମେଂଟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି ପକ୍ଷରୁ କୁହାଯାଇଛି।

ସେହିପରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଅଗଷ୍ଟ ୨୪ ତାରିଖ ସୁଦ୍ଧା ଅନ୍ୟ ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଥିବା ବେଳେ ଏହାର ପ୍ରଭାବରେ ଅଗଷ୍ଟ ୨୩ ରୁ ୨୬ ତାରିଖ ମଧ୍ୟରେ ମହାନଦୀର ଲୋୟର୍‌ ଓ ଅପର କ୍ୟାଚ୍‌ମେଂଟ ତଥା ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ଏବଂ ବ୍ରାହ୍ମଣୀ ନଦୀର କ୍ୟାଚମେଂଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।