କିଏ ଜିତିବ ବାଲେଶ୍ୱର ବାଜି ? ଆଶା ଆଶଙ୍କାରେ ରାଜନେତା

ବାଲେଶ୍ୱର(ଏସ ନ୍ୟୁଜ ):ସଦର ଉପନିର୍ବାଚନ ଫଳାଫଳକୁ ଆଉ ମାତ୍ର ୪୮ ଘଣ୍ଟା ଅପେକ୍ଷା। ନିର୍ବାଚନରେ ବିଜେଡି ,ବିଜେପି ନା କଂଗ୍ରେସ କିଏ ବାଜି ମାରିବ ତାକୁ ନେଇ ଉତ୍କଣ୍ଠା ବଢୁଥିବା ବେଳେ ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଛି। ଆଉ ଫଳାଫଳକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ ଅଙ୍କ କଷିବା ଆରମ୍ଭ କରିଛନ୍ତି।

ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଆସନ ପାଇଁ ହୋଇଥିଲା ଉପନିର୍ବାଚନ। ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ୨୬ଟି ପଞ୍ଚାୟତ ସହିତ ପୌରପାଳିକାର ୩୧ଟି ୱାର୍ଡର ୨ ଲକ୍ଷ ୩୦ ହଜାର ୨୯୭ ଭୋଟରଙ୍କ ମଧ୍ୟରୁ ଉପନିର୍ବାଚନରେ ୧ ଲକ୍ଷ ୬୨ ହଜାର ୮୦୫ ଜଣ ଭୋଟର ମତଦାନ କରିଥିବା ବେଳେ ୭୦.୬୯% ମତଦାନର ହାର ଥିଲା। ନିର୍ବାଚନୀ ମୈଦାନରେ ସମୁଦାୟ ୬ ଜଣ ପ୍ରାର୍ଥୀ ଥିବା ବେଳେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହୋଇଥିଲା। ମତଦାନ ପରେ କଂଗ୍ରେସର ଟିକେ ପଛରେ ପଡ଼ିଯାଇଥିବା ବେଳେ ବିଜେଡି ଓ ବିଜେପିକୁ ନେଇ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି।

ତେବେ ୨୦୦୯ରୁ ଏହି ଆସନ ଶାସକ ଦଳ କବଜାରେ ରହିଥିବା ବେଳେ ୨୦୧୯ରେ ବିଜେଡି ପ୍ରାର୍ଥୀ ଜୀବନପ୍ରଦୀପ ଦାଶଙ୍କୁ ହରାଇ ବିଜେପିର ମଦନମୋହନ ଦତ୍ତ ବିଜୟୀ ହୋଇଥିଲେ।ହେଲେ ବିଜୟୀ ହେବାର ପ୍ରାୟ ଦେଢ଼ ବର୍ଷ ପରେ ମଦନମୋହନଙ୍କ ଅକାଳ ବିୟୋଗ ଘଟିଥିଲା। ଉପନିର୍ବାଚନରେ ସ୍ବର୍ଗତ ଦତ୍ତଙ୍କ ପୁଅ ମା‌ନସ ଦତ୍ତଙ୍କୁ ବିଜେପି ପ୍ରାର୍ଥୀ କରିଥିବାବେଳେ ବିଜେଡି ନୂଆ ଚେହେରା ଭାବେ ପୂର୍ବତନ କାଉନସିଲର ସ୍ବରୁପ ଦାସଙ୍କୁ ଠିଆ କରାଇଥିଲା। ସେହିପରି କଂଗ୍ରେସ ମଧ୍ୟ ବାଲେଶ୍ବର ଆସନରେ ପ୍ରଥମ କରି ଜଣେ ମହିଳା ସମା‌ଜସେବୀ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରାଯାଇଥିଲା। ପାର୍ଥୀଙ୍କୁ ଜିତିବା ପାଇଁ ତିନି ପ୍ରମୁଖଦଳର ବହୁ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମେତ ଶତାଧିକ ଛାମୁଆ ନେତା ମାସେ କାଳ ବାଲେଶ୍ବରରେ ଡେରା ପକାଇଥିଲେ। ନିର୍ବାଚନରେ ବିକାଶ ପ୍ରସଙ୍ଗ ମୁଖ୍ୟପ୍ରସଙ୍ଗ ରହିଥିବା ବେଳେ ଅନୁକମ୍ପା ଭୋଟକୁ ହାତେଇବାକୁ ଚେଷ୍ଟା କରିଥିଲା ବିଜେପି । ପ୍ରାର୍ଥୀମାନେ ପରସ୍ପରକୁ କଡ଼ା ଟକ୍କର ଦେଇଥିବାବେଳେ ଜନମତ କାହା ସପକ୍ଷରେ ଯାଉଛି, ତାହା ଆସନ୍ତା ମଙ୍ଗଳବାର ହିଁ ଜଣାପଡିବା ।

୧୦ ତାରିଖ ମଙ୍ଗଳବାର ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ଭୋଟ୍‌ ଗଣାଯିବା ପରେ ଇଭିଏମ୍‌ ମେସିନ୍‌ ଖୋଲାଯିବ। ମାତ୍ର ୪/୫ ଘଣ୍ଟା ମଧ୍ୟରେ ବାଲେଶ୍ବର ବାଜି କିଏ ଜିଣିବ ତାହା ସ୍ପଷ୍ଟ ହେବ ।