ମାସ୍କ ପିନ୍ଧି ନଥିବାରୁ ଚାଷୀଙ୍କୁ କାନଧରି ଉଠ୍‌ବସ୍ କଲେ ତହସିଲଦାର

ଅନୁଗୁଳ(ଏସ ନ୍ୟୁଜ ): ଭଲ ଭାବେ ମାକ୍ସ ପିନ୍ଧି ନଥିବା କହି ଦୁଇ ଜଣ ଚାଷୀଙ୍କୁ ବିଚ୍ ରାସ୍ତାରେ କାନଧରି ଉଠ୍‌ବସ୍ କରାଇଲେ ତହସିଲଦାର । ଏଭଳି ଉଠ୍‌ବସ୍ ଅନୁଗୁଳ ଜିଲ୍ଲା କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁ କରାଇଛନ୍ତି। ତହସିଲଦାରଙ୍କ ଏଭଳି ଆଚରଣରେ ଚାଷୀ ମାଗୁଣି ସାହୁ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ, କିଶୋରନଗର ପାଖ ପଣ୍ଡିରିପଥର ଗ୍ରାମର ଚାଷୀ ମାଗୁଣି ସାହୁ ଅଭିଯୋଗ କରିଛନ୍ତି ଯେ ଗତ ୭ ତାରିଖ ମାଧ୍ୟାନ୍ନ ସମୟରେ ତାଙ୍କ ଗ୍ରାମର ସୁଶାନ୍ତ ରଣା ନାମକ ଅନ୍ୟ ଜଣେ ଚାଷୀଙ୍କ ସହ ଧାନବିଲରୁ ଘରକୁ ଫେରୁଥିଲେ। ସେମାନେ କିଶୋରନଗର କଲେଜ ନିକଟ ଦେଇ ଯାଉଥିବା ବେଳେ କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁ ସେଠାରେ ମାସ୍କ ଯାଂଚ କରୁଥିଲେ। ମାସ୍କ ନାକ ତଳକୁ ଟିକେ ଖସି ଯାଇଥିବାରୁ ‘ଠିକ୍ ଢଂଗରେ ମାକ୍ସ କାହିଁକି ପିନ୍ଧୁନ’ ବୋଲି କହି ଗାଳିଦେବା ସହିତ ୫ଶହ ଟଙ୍କା ଜରିମାନା କରିଥିଲେ। ମାତ୍ର ତାଙ୍କ ନିକଟରେ ସେତେବେଳେ ଟଙ୍କାଟିଏ ବି ନଥିଲା। ଜରିମାନା ଦେବାକୁ ନିଜର ଅସମର୍ଥତା ଜଣାଇବାରୁ ତହସିଲଦାର ଉତ୍ତ୍ୟକ୍ତ ହୋଇ ତାଙ୍କୁ ଗାଳିଗୁଲଜ କରି ସର୍ବସାଧାରଣରେ କାନଧରି ଉଠବସ୍‌ କରାଇଥିଲେ। ସର୍ବସମକ୍ଷରେ ସୁଶାନ୍ତ ୧୦ ଓ ମାଗୁଣି ୮ ଥର ଉଠ୍‌ବସ୍ ହୋଇଥିଲେ।

ମାଗୁଣି ନ୍ୟାୟ ପାଇଁ ଆଜି କିଶୋରନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏନେଇ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହାର ସତ୍ୟାସତ୍ୟ ତଦନ୍ତ ପାଇଁ ଆଠମଲ୍ଲିକ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି । ରିପୋର୍ଟ ଆସିବା ପରେ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।