ବାଲେଶ୍ୱର ଉପନିର୍ବାଚନ: ଭୋଟ ଦେଲେ ବେଣୁ ମଉସା ଓ ମମତା କୁଣ୍ଡୁ

ଭୁବନେଶ୍ୱର (ଏସ ନ୍ୟୁଜ ): ଭୋଟ ଦେଉଛନ୍ତି ଜନତା। ଉପନିର୍ବାଚନ ପାଇଁ ବାଲେଶ୍ୱରରେ ଆଜି ସକାଳେ ମତଦାନ ଆରମ୍ଭ ହୋଇଛି। କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ଆଜି ସକାଳେ ଗୋପାଳଗାଁସ୍ଥିତ ସାବିତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏହାଛଡ଼ା ବାଲେଶ୍ୱର ସଦରର ଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ବି ନିଜର ମତ ସାବ୍ୟସ୍ତ କରିଛନ୍ତି।

ଅନ୍ୟପଟେ ସକାଳ ୯ଟା ସୁଦ୍ଧା ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ୧୨.୧୧% ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ସେହିପରି ସକାଳ ୯ଟା ସୁଦ୍ଧା ତିର୍ତ୍ତୋଲରେ ସକାଳ ୭.୫୮% ମତଦାନ ହୋଇଥିବାର ସୂଚନା ମିଳିଛି। ଏଥିମଧ୍ୟରୁ ବିରିଡ଼ି ବ୍ଲକରେ ୬.୪%, ରଘୁନାଥପୁର ବ୍ଲକରେ ୬.୩% ଓ ତିର୍ତ୍ତୋଲ ବ୍ଲକରେ ୯.୧୫% ମତଦାନ ହୋଇଛି। ଏଠାରେ ମାତ୍ର ୧୭, ୯୯୮ଜଣ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବାଲେଶ୍ୱରରେ ଆଜି ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେଉଛନ୍ତି । କରୋନା କଟକଣା ଭିତରେ ଜାରି ରହିଛି ଭୋଟ ଗ୍ରହଣ। ମତଦାନ ସମୟରେ ଭୋଟରଙ୍କ ଧାଡି ମଧ୍ୟରେ ୬ ଫୁଟର ଦୂରତା ରଖାଯାଇଛି । ଭୋଟର କେମିତି ଲାଇନରେ ଠିଆ ହେବେ, କେମିତି ଭୋଟ ଦେବେ, ସେସବୁ ନେଇ ଆଗୁଆ କଟକଣା ଜାରି କରାଯାଇଥିଲା । ଏହାକୁ ପାଳନ କରି ଏଥର ମତଦାନ ଚାଲିଛି ।